ଚୀନ ସେନାଙ୍କ ଦୌରାତ୍ମ୍ୟ । ଅରୁଣାଚଳ ପ୍ରଦେଶ ଯୁବକଙ୍କୁ କଲେ ଅପହରଣ ।

126

କନକ ବ୍ୟୁରୋ: ଭାରତର ସୀମାରେ ଦୌରାତ୍ମ୍ୟ କରୁଥିବା ଚୀନ ସେନା ପୂର୍ବରୁ ଜୋରଜବରଦସ୍ତି ରାସ୍ତା ନିର୍ମାଣ କରିବା ସହ ଗାସ୍ୱସାଇବା ଦେଖିବାକୁ ମିଳୁଥିବାବେଳେ ଏବେ ସେନାର ଆଉ ଏକ କାରନାମା ଜଣାପଡିଛି । ଅରୁଣାଚଳପ୍ରଦେଶର ଜଣେ ଯୁବକଙ୍କୁ ଚୀନ ସେନା ଅପହରଣ କରିନେଇଥିବା ଜଣାପଡିଛି । ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍‌ ଜିଲ୍ଲାରୁ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ (ପିଏଲ୍‌ଏ) ଜଣେ ୧୭ ବର୍ଷିୟ ତରୁଣଙ୍କୁ ଅପହରଣ କରି ନେଇଥିବା କଥା ବୁଧବାର ଦିନ ରାଜ୍ୟ ସାଂସଦ ତାପିର୍‌ ଗାଓ ଟୁଇଟ୍‌ କରି କହିଛନ୍ତି।

ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍‌ ଜିଲ୍ଲାର ସିୟୁଙ୍ଗଲା ଅଞ୍ଚଳ (ବିଶିଙ୍ଗ ଗାଁ) ଅନ୍ତର୍ଗତ ଭାରତୀୟ ଅଞ୍ଚଳ ମଧ୍ୟସ୍ଥ ଲୁଙ୍ଗ୍‌ଟା ଜୋର ଅଞ୍ଚଳରୁ ୨୦୨୨ ଜାନୁଆରି ୧୮ ତାରିଖରେ ଜିଡ଼ୋ ଗ୍ରାମର ୧୭ ବର୍ଷିୟ ତରୁଣ ମିରାମ୍‌ ତରୋନଙ୍କୁ ଚୀନାର ‘ପିଏଲ୍‌ଏ’ ଅପହରଣ କରି ନେଇଛି।ତାଙ୍କୁ ଯଥାଶିଘ୍ର ମୁକୁଳାଇ ଆଣିବାକୁ ଭାରତ ସରକାରଙ୍କୁ ନିଜ ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଛନ୍ତି ତାପିର୍‌ ଗାଓ ।

ତାପିର୍‌ ଗାଓ କହିଛନ୍ତି, ଅରୁଣାଚଳ ପ୍ରଦେଶରେ ସାଙ୍ଗ୍‌ପୋ ନଦୀ ଯେଉଁଠି ଭାରତରେ ପ୍ରବେଶ କରୁଛି ସେଠାରେ ଉପରୋକ୍ତ ଅପହରଣ ଘଟଣା ଘଟିଛି। ଅରୁଣାଚଳ ପ୍ରଦେଶରେ ସାଙ୍ଗ୍‌ପୋ ନଦୀକୁ ସିଆଙ୍ଗ୍‌ ଏବଂ ଆସାମରେ ବ୍ରହ୍ମପୁତ୍ର କହନ୍ତି।ଗାଓ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ବିଷୟରେ ସେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କୁ ଜଣାଇବା ସହ ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।ଟୁଇଟ୍‌ରେ ଗାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତୀୟ ସେନାକୁ ମଧ୍ୟ ‘ଟ୍ୟାଗ୍‌’ କରିଛନ୍ତି।