ଟ୍ରିପଲ ଟେଷ୍ଟ ବିନା ଓବିସିଙ୍କୁ ଦେଇହେବନି ୨୭% ସଂରକ୍ଷଣ : ପୁଣିଥରେ ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କେନ୍ଦ୍ରସରକାରଙ୍କ ପୁନଃବିଚାର ଆବେଦନ ଖାରଜ

136

କନକ ବ୍ୟୁରୋ : ଟ୍ରିପଲ ଟେଷ୍ଟ ବିନା ପଂଚାୟତ ନିର୍ବାଚନରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଇ ହେବନାହିଁ । ପୁଣିଥରେ ଏନେଇ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ । ଟ୍ରିପଲ ଟେଷ୍ଟ ଅର୍ଥାତ- ସ୍ୱତନ୍ତ୍ର ଓବିସି କମିଶନ୍ ଗଠନ, ପଛୁଆ ବର୍ଗଙ୍କ ସଂଖ୍ୟା ଅନୁପାତରେ ସିଟ୍ ସଂରକ୍ଷଣ ଏବଂ ସମସ୍ତ ବର୍ଗର ସଂରକ୍ଷଣକୁ ୫୦ ପ୍ରତିଶତ ଭିତରେ ସୀମିତ ରଖିବା । ଏ ସଂପର୍କରେ ଡିସେମ୍ବର ୧୫ ଓ ୧୭ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ।

ପୁନର୍ବିଚାର ପାଇଁ ଆବେଦନ କରିଥିଲେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କେନ୍ଦ୍ର ସରକାର । ହେଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର, ଡିଏମ ମାହେଶ୍ୱରୀ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିସହ ଟ୍ରିପଲ ଟେଷ୍ଟ ମାନଦଣ୍ଡକୁ ପୂରଣ କରିନଥିଲେ ଓବିସିଙ୍କ ପାଇଁ ସଂରକ୍ଷିତ ଆସନ ସାଧାରଣ ବର୍ଗଙ୍କ ପାଇଁ କରିବାକୁ ରାଜ୍ୟ ନିର୍ବାଚନ କମିଶନ୍ ଘୋଷଣା କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି । ଫଳରେ ଓବିସିଙ୍କୁ ଛାଡି ରାଜନୀତି କରିବାକୁ ଚାହୁଁନଥିବା ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାରଙ୍କୁ ଶକ୍ତ ଝଟକା ଲାଗିଛି ।