ଲୋକପ୍ରିୟ କଳା ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ! ନୀରବି ଗଲେ ନୀତୀନ ଦେଶାଇ ଋଣ ବୋଝ ସାଜିଲା କାଳ ! ଷ୍ଟୁଡିଓରୁ ମୃତଦେହ ଉଦ୍ଧାର

265

କନକ ବ୍ୟୁରୋ : ବୁଧବାର ସକାଳୁ ମୁମ୍ବାଇସ୍ଥିତ ଏନଡିଏ ଷ୍ଟୁଡିଓରୁ ଆସିଥିଲା କଳା ନିର୍ଦ୍ଦେଶକ ନୀତୀନ ଦେଶାଇଙ୍କ ମୃତ୍ୟୁ ଖବର । ନିଆଁ ବେଗରେ ପ୍ରଘଟ ହୋଇଥିଲା ଖବର । ପରିବାର, ସମ୍ପର୍କୀୟଙ୍କ ସମେତ ପୂରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଷ୍ଟୁଡିଓରୁମରୁ ତାଙ୍କର ଝୁଲନ୍ତାବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଷ୍ଟୁଡିଓରେ ଥିବା କର୍ମଚାରୀଙ୍କ କହିବା ଅନୁସାରେ ଷ୍ଟୁଡିଓ ଭିତରେ ଥିବା ନିଜ ବ୍ୟକ୍ତିଗତ ରୁମକୁ ନୀତୀନ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଯାଇଥିଲେ । ପ୍ରତିଦିନ ପରି ଆଜି ମଧ୍ୟ ଭୋରୁ କର୍ମଚାରୀ ତାଙ୍କୁ ନିଦରୁ ଉଠାଇବାକୁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି କବାଟ ଖୋଲିନଥିଲେ ନୀତୀନ । ପଂଖାରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମଳିଥିଲା । କର୍ମଚାରୀମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଫୋରେନସିକ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ପୋଷ୍ଟ ରିପୋର୍ଟକୁ ନଜରରେ ରଖି ବିଭିନ୍ନ ଦିଗରେ ତଦନ୍ତ କରାଯିବ ବୋଲି ପୁଲିସ କହିଛି ।

ଆତ୍ମହତ୍ୟାର ପଛରେ ଋଣବୋଝ ଏକ କାରଣ ବୋଲି କୁହାଯାଉଛି । ନୀତୀନଙ୍କ ବନ୍ଧୁ ତଥା ବିଜେପି ନେତା ବିନୋଦ ତାୱଡେ ଦେଇଥିବା ପ୍ରତିକ୍ରିୟା ଅନୁସାରେ ନୀତୀନଙ୍କ ଉପରେ ୨୫୨କୋଟି ଟଙ୍କାର ଋଣ ରହିଥିଲା । ୨୦୦୫ ମସିହାରେ ସେ ଏନ.ଡି ଷ୍ଟୁଡିଓର ପ୍ରତିଷ୍ଠା କରିଥିଲେ । ମାତ୍ର ୨୦୧୬ ଓ ୨୦୧୮ରେ ମସିହାରେ ଦୁଇଟି ପର୍ଯ୍ୟାୟରେ ୧୮୫କୋଟି ଟଙ୍କା ଲୋନ ନେଇଥିଲେ ଆଉ ୨୦୨୨, ଜୁନ ମାସ ବେଳକୁ ଏହି ଲୋନ ଟଙ୍କା ୨୫୨କୋଟିରେ ପହଂଚିଥିଲା । ମୁଣ୍ଡ ଉପରେ କୋଟି କୋଟି ଟଙ୍କାର ଋଣ ବୋଝ ସହିନପାରି ନିତିନ ଆତ୍ମହତ୍ୟା କରିଥିବା କହିଛନ୍ତି ବିନୋଦ ତାୱଡେ । ସେପଟେ ନୀତୀନଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ବଲିଉଡ ଏବଂ ମରାଠୀ ଚଳଚିତ୍ର ଜଗତର ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନିତିନ ଦେଶାଇ । ବଡ ପରଦାରେ ୧୯୪୨- ଏ ଲଭ୍ ଷ୍ଟୋରୀ, ଦେବଦାସ, ହମ୍ ଦିଲ ଦେ ଛୁକେ ସନମ୍, ଲଗାନ୍, ଜୋଧା ଆକବର୍ ଭଳି ସିନେମା ଆପଣ ଦେଖିଥିବେ । ବଡ ବଜେଟ ଫିଲ୍ମ ନିର୍ମାଣରେ ମୁଖ୍ୟ ପୁରୋଧା ସାଜୁଥିବା ନୀତିନ ଦେଶାଇଙ୍କୁ ହରାଇ ବଲିଉଡରେ ଏବେ ଶୋକର ଛାୟା ।