ଅଗ୍ନିପଥ ଯୋଜନାରେ ବଡ ପରିବର୍ତନ, ଏବେ ଆଇଟିଆଇ ଓ ପଲିଟେକନିକ ପାସ କରିଥିବା ପିଲା ବି କରିପାରିବେ ଆବେଦନ

140

କନକ ବ୍ୟୁରୋ : କେନ୍ଦ୍ର ଏନଡିଏ ସରକାର ଗତବର୍ଷ ସେନାରେ ନିଯୁକ୍ତି ନେଇ ଆଣିଥିବା ଅଗ୍ନିପଥ ଯୋଜନାରେ ବଡ ପରିବର୍ତନ କରିଛନ୍ତି । ଏବେ ଅଗ୍ନିବୀର ନିଯୁକ୍ତି ପାଇଁ ଆଇଟିଆଇ ଓ ପଲି ଟେକନିକ୍ ପାସ କରିଥିବା ପିଲା ମଧ୍ୟ ଆବେଦନ କରିପାରିବେ ।

ସେନା ତରଫରୁ ଅଗ୍ନିପଥ ଭର୍ତ୍ତି ପ୍ରକ୍ରିୟାରେ ଭାଗନେବା ପାଇଁ ଯୋଗ୍ୟତା ନିୟମକୁ ବଢାଇ ଦେଇଛନ୍ତି । ପ୍ରି ସ୍କିଲ୍ଡ ଯୁବକମାନେ ଏବେ ଏହି ପଦବୀ ପାଇଁ ମଧ୍ୟ ଆବେଦନ କରିପାରିବେ । ଏହି କ୍ରମରେ ଆଇଟିଆଇ ଓ ପଲିଟେକନିକ୍ ପାସ କରିଥିବା ପିଲାମାନେ ଟେକ୍ନିକାଲ ବ୍ରାଞ୍ଚ ପାଇଁ ଆବେଦନ କରିପାରିବେ । ଏମାନଙ୍କ ନିଯୁକ୍ତି ପରେ ଅନ୍ୟମାନଙ୍କ ଠାରୁ ଏମାନେ କମ୍ ସମୟ ଟ୍ରେନିଂ ନେବେ । ଏଭଳି ପରିବର୍ତନ ପରେ ଅଧିକରୁ ଅଧିକ ଏହି ପଦରେ ନିଯୁକ୍ତି ପାଇଁ ଆବେଦନ କରିବେ ବୋଲି ଆଶା କରାଯାଉଛି ।

ସୂଚନା ଥାଉକି ଫେବୃଆରୀ ୧୬ ତାରିଖରୁ ଅଗ୍ନିପଥ ଯୋଜନା କ୍ରମରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ନେଇ ପଞ୍ଜିକରଣ ଆରମ୍ଭ ହୋଇଛି । ଅନଲାଇନ ଆବେଦନ ପାଇଁ ମାର୍ଚ୍ଚ ୧୫ ତାରିଖକୁ ଶେଷ ଆବେଦନ ତାରିଖ ବୋଲି ରଖାଯାଇଛି । ଏହାସହ ଚୟନ ପରୀକ୍ଷା ଏପ୍ରିଲ ୧୭ ତାରିଖରେ ଆୟୋଜିତ କରାଯିବ ।

ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଜେନରାଲ ଡ୍ୟୁଟି, ଟେକ୍ନିକାଲ କ୍ଲର୍କ, ଷ୍ଟୋର କିପର, ଟ୍ରେଡସମ୍ୟାନ ପଦ ପାଇଁ ଆବେଦନ କରାଯାଉଛି । ବଦଳିଥିବା ନିୟମ ମୁତାବକ ଏବେ ଆଶାୟୀମାନେ ପ୍ରଥମେ ଲିଖିତ ପରୀକ୍ଷା ଦେବେ । ଏଥିରେ ପାସ୍ କରିଥିବା ପିଲାମାନଙ୍କୁ ଶାରିରୀକ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ଏପ୍ରିଲ ୧୭ ତାରିଖରେ ଲିଖିତ ପରୀକ୍ଷା ହେବ ।