ଅନୁଗୁଳ ଏନଏଚ୍-୫୩ର ହେବ ସମ୍ପ୍ରସାରଣ । ରାଜପଥକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ଖର୍ଚ୍ଚ ହେବ ୧୭୪ କୋଟି । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ।

237

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ-୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନୁଗୁଳ ଜିଲ୍ଲା ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କୋରିଡରକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତୟାତ ସୁରକ୍ଷିତ ହେବ । ଏହାବ୍ୟତୀତ ଏହି ରାଜପଥ ଭାରିଯାନର ଯାତାୟତ ସହଜ ହେବ ଏବଂ ଏହି ଶିଳ୍ପ କୋରିଡର ତଥା କୋଲ୍ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏନଏଚ ୫୩ର ସମ୍ପ୍ରସାରଣ ଅନୁଗୋଳ ଏବଂ ସମ୍ବଲପୁର ଜିଲ୍ଲାର ଯାତାୟତକୁ ସୁଗମ କରିବା ସହ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଘଟିବ ।