ନେପାଳରେ ବିମାନ ଦୁର୍ଘଟଣା । ୬୮ଯାତ୍ରୀ ଓ ୪ଜଣ ବିମାନ କର୍ମଚାରୀ ମୃତ । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଦେଲେ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ।

108

କନକ ବ୍ୟୁରୋ: ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୬୮ ଯାତ୍ରୀ ଓ ୪ଜଣ ବିମାନ କର୍ମଚାରୀଙ୍କୁ ନେଇ ଲ୍ୟାଣ୍ଡିଂ କରିବା ବେଳେ ୟତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କାଠମାଣ୍ଡୁରୁ ପୋଖରୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ସମସ୍ତ ୭୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟତି ଏୟାରଲାଇନ୍ସର ଏଟିଆର ୭୨ ବିମାନ ଦୁର୍ଘଟଣାର ଶିକାର ହୋଇଛି । ନେପାଳ ଗଣମାଧ୍ୟମର ସୂଚନା ଅନୁସାରେ, ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଓ ପୂରୁଣା ବିମାନବନ୍ଦର ମଝିରେ ଦୁର୍ଘଟଣା ଘଟିଛି । ୟତି ଏୟାରଲାଇନ୍ସର ପ୍ରବକ୍ତାଙ୍କ ସୂଚନା ଅନୁସାରେ, ବିମାନରେ ୬୮ ଯାତ୍ରୀ ଥିଲେ । ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ବିମାନଟି ଏକ ପାହାଡରେ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସି ପଡିଛି ।

ୟତି ଏୟାରଲାଇନ୍ସର ଦୁର୍ଘଟଣାଗ୍ରସ୍ତ ବିମାନରେ ୫ଜଣ ଭାରତୀୟ ଥିଲେ ବୋଲି ସୂଚନା ମିଳିଛି । ଏବଂ ସମସ୍ତ ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାସହ ଦୁର୍ଘଟଣାଗ୍ରସ୍ତ ବିମାନରେ ୧୦ଜଣ ବିଦେଶୀ ଥିଲେ ବୋଲି ସୂଚନା ମିଳିଛି । ଭାରତ ଦୂତାବାସ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦର ଯେଉଁଠି ଆଜି ଏକ ବଡ ଦୁର୍ଘଟଣା ଘଟିଛି ତାହା ଚୀନ ତିଆରି କରିଛି । ଚୀନ ସହାୟତାରେ ତିଆରି ହୋଇଥିବା ଏହି ବିମାନ ବନ୍ଦର ଜାନୁଆରୀ ୧ରେ ଉଦଘାଟନ ହୋଇଥିଲା । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ବିମାନ ବନ୍ଦରର ଉଦଘାଟନ କରିଥିଲେ । କୁହାଯାଉଛି ୧୪ ଦିନ ପୂର୍ବରୁ ଏହି ବିମାନ ବନ୍ଦରର ଉଦଘାଟନ ହୋଇଥିଲା । ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କହିଥିଲେ ଏହି ବିମାନ ବନ୍ଦର ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ । କୁହାଯାଉଛି ୟତି ଏୟାରଲାଇନ୍ସର ଏହି ବିମାନ ପୋଖରା ବିମାନବନ୍ଦରର ରନୱେରେ ଦୁର୍ଘଟଣାର ଶିକାର ହୋଇଛି । ଯଦିଓ ବିମାନ ଦୁର୍ଘଟଣାର କାରଣ ଜଣାପଡିନି ହେଲେ ବିମାନ ବନ୍ଦରକୁ ନେଇ ପ୍ରଶ୍ନ ଉଠିଛି ।