ପ୍ରତିବାଦ କରିବାରୁ କଠୋର ହେଲେ ସରକାର , କାରରେ ବସିଥିବା ବେଳେ କାର ସହ ମୁଖ୍ୟମନ୍ତ୍ରୀଙ୍କ ଭଉଣୀକୁ ଉଠାଇନେଲା କ୍ରେନ

303

କନକ ବ୍ୟୁରୋ : ହାଇଦ୍ରାବାଦ ସଡକ ଉପରେ ଆଜି ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ଯେଉଁ ଦୃଶ୍ୟ ଦେଖିଲେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ ରାଜନୀତିରେ ପ୍ରତିଶୋଧ ନେବାକୁ ନେତାମାନେ କେତେ ତଳକୁ ଖସିଯାଇପାରନ୍ତି । ଏ ଚିତ୍ର ଆପଣଙ୍କୁ ବ୍ୟଥୀତ କରିଦେବ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ଏକ କାରରେ ବସିଥିବା ବେଳେ ଏକ କ୍ରେନ ସହାୟତାରେ କାରକୁ ଘୋଷାଡି ଘୋଷାଡି ନେଇଯାଇଛି କ୍ରେନ । ଏହାପରେ ଶର୍ମିଲାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି ।

ସୂଚନା ମୁତାବକ ଶର୍ମିଲାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି ତରଫରୁ ଚନ୍ଦ୍ରଶେଖର ରାଓଙ୍କ ସରକାର ବିରୋଧରେ ପଦଯାତ୍ରା ଆରମ୍ଭ କରିଛି । ଏହି କ୍ରମରେ ବାରଂଗଲ ଠାରେ କ୍ଷମତାସୀନ ଟିଆରଏସ ସମର୍ଥକ ଓ ୱାଇଏସଆର ତେଲେଙ୍ଗାନା ପାର୍ଟିର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଏକ କ୍ରେନ ଆସି ଶର୍ମିଲା ବସିଥିବା କାରକୁ ଟାଣି ଟାଣି ନେଇଯାଇଥିଲା । ଶର୍ମିଲାଙ୍କ ପଦଯାତ୍ରା ଏପର୍ଯ୍ୟନ୍ତ ୩.୫୦୦ କିଲୋମିଟର ପାର କରିଛି । ସେ ଚନ୍ଦ୍ରଶେଖର ରାଓ ସରକାରଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି ଏହି ପଦଯାତ୍ରା କରୁଛନ୍ତି ।

ଏହି କ୍ରମରେ ସେ ଆଜି ସକାଳେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବାସଭବନ ନିକଟରେ ବିରୋଧ ପ୍ରଦର୍ଶନ କରୁଥିଲେ । ଏଥିରେ ନିଜେ ଶର୍ମିଲା ଉପସ୍ଥିତ ଥିଲେ । ପ୍ରଦର୍ଶନ ସରିବା ପରେ ଯେତେବେଳେ ଶର୍ମିଲା ଆସି ତାଙ୍କ ନିଜ କାରରେ ବସିଥିଲେ ଠିକ୍ ସେତିକି ବେଳେ ପୋଲିସ ଏକ କ୍ରେନ ଆଣି ଉଭୟ ଶର୍ମିଲା ଓ ତାଙ୍କ କାରକୁ ଘୋଷାଡି ଘୋଷାଡି ନେଇଯାଇଥିଲେ ।