ଅରୁଣାଚଳ ପ୍ରଦେଶରୁ ଆସିଲା ଅଘଟଣର ଖବର! ନିଖୋଜ ଏଏନ୍-୩୨ ବିମାନରେ ଥିବା ସମସ୍ତ ୧୩ ଜଣ ମୃତ, ଓଡ଼ିଆ ପାଇଲଟ ସୁନୀତଙ୍କ ବାପା କହିଲେ, ଦେଶର ସେବାକରି ଜୀବନ ଦେଇଛି ପୁଅ

2,153

କନକ ବ୍ୟୁରୋ : ବାୟୁସେନାର ପରିବହନ ବିମାନ ଏଏନ୍-୩୨ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ୧୧ ଦିନ ପରେ, ବାୟୁସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରେ ୬ ଜଣ କ୍ରିଉ ମେମ୍ବରଙ୍କ ସହ ସମସ୍ତ ୧୩ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି ଏବଂ ଖୁବଶୀଘ୍ର ସେମାନଙ୍କୁ ହେଲିକପ୍ଟରରେ ଆଣାଯିବ ବୋଲି ବାୟୁସେନା କହିଛି । ଏଥିସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକବକ୍ସକୁ ମଧ୍ୟ ଉଦ୍ଧାର କରାଯାଇଛି ।

ଭାରତୀୟ ବାୟୁସେନାର ଏଏନ୍-୩୨ ପରିବହନ ବିମାନ ନିଖୋଜ ହେବାର ୮ ଦିନ ପରେ ଗତ ମଙ୍ଗଳବାର ବିମାନର ଭଗ୍ନାବଶେଷ ମିଳିଥିଲା । ଯେମିତି ଆଶା ଉପରେ ସବୁକିଛି ବଂଚିରହିଥାଏ, ସେମିତି ପରିବାର ମନରେ ଆଶା ଥିଲା, ସୁନୀତ ବଂଚିଥିବ । ହେଲେ ଗୁରୁବାର ବାୟୁସେନାର ଘୋଷଣା, ସବୁ ଆଶା ଆଶଙ୍କା ଉପରେ ପୂର୍ଣ୍ଣଛେଦ ଟାଣିଦେଇଛି । ସ୍ପଷ୍ଟ ହୋଇଯାଇଛି, ଆଉ ଫେରିବନି ସୁନୀତ ।

ଜୁନ୍ ୩ ତାରିଖରୁ ନିଖୋଜ ଥିବା ଭାରତୀୟ ବାୟୁ ସେନାର ଏଏନ୍-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଥିବା ସମସ୍ତ ୧୩ ଜଣ ମୃତ ବୋଲି ସ୍ପଷ୍ଟ କରିଛି ବାୟୁସେନା । ଏପରିକି ୬ ଜଣ କ୍ରିଉ ମେମ୍ବରଙ୍କ ସହ ସମସ୍ତ ୧୩ଟି ଯାକ ମୃତଦେହ ଉଦ୍ଧାର କରାଯାଇ ସାରିଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ହେଲିକପ୍ଟର ଜରିଆରେ ଅରୁଣାଚଳ ପ୍ରଦେଶର ଦୁର୍ଘଟଣାଗ୍ରସ୍ତ ସ୍ଥଳରୁ ମୃତଦେହ ଗୁଡିକୁ ଅଣାଯିବ ବୋଲି ବାୟୁସେନା ସୂଚନା ଦେଇଛି । ଏଥିସହ ବାୟୁସେନାକୁ ମିଳିସାରିଛି ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ । ଯେଉଁଥିରେ ରହିଛି, ଦୁର୍ଘଟଣାର କାହାଣୀ ।

ସୁନୀତ ମହାନ୍ତି । ଜନ୍ମ- ୭ ନଭେମ୍ବର ୧୯୯୦ । ବିଟେକ୍ ଶିକ୍ଷା- ଏନଆଇଟି ଜାମସେଦପୁର ।୨୦୧୪ରେ ଫ୍ଲାଇଂ ପାଇଲଟ୍ ଭାବେ ନିଯୁକ୍ତି । ୨୮ ବର୍ଷିୟ ସୁନୀତଙ୍କ ପରିବାର ଦୀର୍ଘଦିନ ହେଲା ଦିଲ୍ଲୀରେ ରହୁଛନ୍ତି । ପରିବାର ଓ ସାଙ୍ଗସାଥୀ, ସୁନୀତକୁ ବେଶ୍ ଭଲପାଉଥିଲେ । ସୁନୀତ ବି ମେଳାପି ଥିଲେ । ସୁନୀତଙ୍କ ବାପା ବାୟୁସେନାର ଜଣେ ଅବସରପ୍ରାପ୍ତ କର୍ମଚାରୀ । ସୁନୀତଙ୍କ ମୃତ୍ୟୁ ପରେ ବାପା କହିଛନ୍ତି, ସେ ବାୟୁସେନାକୁ ଭଲପାଉଥିଲେ, ଆଉ ତାଙ୍କ ପୁଅ ମଧ୍ୟ । ଆମ ଯବାନଙ୍କ ପ୍ରତି ସମସ୍ତେ ଗର୍ବିତ ହେବା ଆବଶ୍ୟକ ଏବଂ ସେମାନଙ୍କ ସଫଳତା କାମନା କରିବା ଜରୁରୀ । ଦେଶ ମାତୃକାର ସେବା କରି ତାଙ୍କ ପୁଅ ପ୍ରାଣ ହରାଇଛି ।

ଜୁନ ୩, ୨୦୧୯ । ଆସାମରୁ ଉଡାଣ ଭରିଥିବା ଭାରତୀୟ ବାୟୁ ସେନାର ଏଏନ-୩୨ ପରିବହନ ବିମାନ ନିଖୋଜ ହୋଇଯିବା ପରେ ସେବେଠାରୁ ଏହାକୁ ଖୋଜିବା ପାଇଁ ବାୟୁସେନାର ଏକାଧିକ ହେଲିକପ୍ଟର ସର୍ଚ ଅପରେସନ ଚଳାଇଥିଲେ । ଶେଷରେ ୮ ଦିନ ପରେ ମଙ୍ଗଳବାର, ମିଗ୍-୧୭ ହେଲିକପ୍ଟର ୧୨ ହଜାର ଫୁଟ୍ ଉପରୁ ବିମାନର ଭଗ୍ନାବଶେଷ ଠାବ କରିଥିଲା । ଆଉ ଗୁରୁବାର ମିଳିଲା , ୧୩ ଜଣଙ୍କ ମୃତଦେହ ।