ଯୁଦ୍ଧ ହେଲେ ରୁଷ୍ ଓ ଚୀନ ପାଖରୁ ହାରିବ ଆମେରିକା,  ଟ୍ରମ୍ପ ପ୍ରଶାସନକୁ ଚେତାଇ ଦେଲେ ବିଶେଷଜ୍ଞ ! 

263

ସଙ୍କଟରେ ସୁପରପାୱାର  । ଯୁଦ୍ଧ ହେଲେ ରୁଷ୍ ଓ ଚୀନ ନିକଟରୁ ପରାଜୟ ବରଣ କରିବ ଆମେରିକା  । କିଛି ଏଭଳି ଆକଳନ କରିଛି ଆମେରିକୀୟ ସୁରକ୍ଷା ବିଶେଷଜ୍ଞଙ୍କ ପ୍ୟାନେଲ୍  । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତ୍ରୁଟିପୂର୍ଣ୍ଣ ସୁରକ୍ଷା ନୀତି କାରଣରୁ ଆଗକୁ ଆମେରିକା ସାମରିକ ସଙ୍କଟର ସମ୍ମୁଖୀନ ହେବ ବୋଲି ପ୍ୟାନେଲ୍ ସତର୍କ କରାଇ ଦେଇଛି  । ପ୍ରତିରକ୍ଷା ବଜେଟ୍ କମାଇଲେ ଏହାର ପରିଣାମ ଭୋଗିବ ବୋଲି କୁହାଯାଇଛି  ।

ବିଶ୍ୱରେ ଅଘୋଷିତ ଏକ ନମ୍ବର ସୁପରପାୱାର କୁହାଯାଉଥିବା ଆମେରିକାର ଶକ୍ତିଶାଳୀ ସେନା ହରାଇଛି ଅଦମ୍ୟ ଓ ଅତୁଟ ସାମର୍ଥ୍ୟ  । ଯୁଦ୍ଧହେଲେ ରୁଷ୍ ଓ ଚୀନ୍ ନିକଟରୁ ପରାଜିତ ହେବ ଆମେରିକା  । କିଛି ଏଭଳି ଶବ୍ଦରେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଏକ ପ୍ୟାନେଲ୍ ଟ୍ରମ୍ପ୍ ପ୍ରଶାସନକୁ ସତର୍କ କରାଇଦେଇଛି  । ରାଷ୍ଟ୍ରପତି ଟ୍ରମ୍ପଙ୍କ ତ୍ରୁଟିପୂର୍ଣ୍ଣ ସୁରକ୍ଷା ନୀତି ଯୋଗୁ ଆମେରିକାର ଶକ୍ତି ହ୍ରାସ ଘଟିଥିବା ପ୍ୟାନେଲ୍ କହିଛି  । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଟ୍ରମ୍ପ୍ ପ୍ରତିରକ୍ଷା ବଜେଟରେ କାଂଟ୍ଛାଂଟ୍ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ପ୍ୟାନେଲ୍ ପକ୍ଷରୁ କୁହାଯାଇଛି  । ମିସାଇଲ୍ ସୁରକ୍ଷା, ସାଇବର ସିକ୍ୟୁରିଟି ଓ ମହାକାଶ ଅଭିଯାନରେ ଆମେରିକା ପଛରେ ପଡ଼ିଯାଇଥିବା ପ୍ୟାନେଲ୍ କହିଛି  । ଅନ୍ୟ ପଟେ ପ୍ରତିରକ୍ଷା କ୍ଷେତ୍ରରେ ରୁଷ୍ ଓ ଚୀନ ବ୍ୟାପକ ପୁଂଜିନିବେଶ କରିଥିବା ପ୍ୟାନେଲ ରିପୋର୍ଟରେ କୁହାଯାଇଛି  ।

ପ୍ୟାନେଲ୍ ରିପୋର୍ଟ

– ଚଳିତ ପ୍ରତିରକ୍ଷା ବଜେଟ୍ ପାଇଁ ଟ୍ରମ୍ପ୍ ୭୧୬ ବିଲିଅନ୍ ଡଲାର୍ ରଖାଯାଇଥିବା ବେଳେ ଆସନ୍ତାବର୍ଷ ଏଥିରେ ଦୁଇ ଚତୁର୍ଥାଂଶ ଅର୍ଥାତ୍ ୧୬ ବିଲିଅନ୍ ଡଲାର ହ୍ରାସ କରିବାକୁ ନିଷ୍ପତି ନିଆଯାଇଛି  ।

– ପ୍ରତିରକ୍ଷା ବଜେଟ୍ କମିବା କାରଣରୁ ଏହା ଆମେରିକୀୟ ସେନାର ଆଧୁନିକୀକରଣ, ପ୍ରସ୍ତୁତି ଓ ସାମରିକ ସାମର୍ଥ୍ୟ ଉପରେ ଗଭୀର ଭାବେ ପ୍ରଭାବ ପକାଇବ  ।

– ଋୁଷ୍ ଓ ଚୀନ ଆମେରିକା ପାଇଁ ସବୁବେଳେ ଆହ୍ୱାନମୂଳକ ସ୍ଥିତି ସୃଷ୍ଟି କରୁଥିବାରୁ ଆମେରିକା କୌଶଳ ପରିବର୍ତନ, ପ୍ରତିରକ୍ଷା ବଜେଟରେ ସମତୁଲତା ରକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ  ।

– ଦେଶରେ ରାଜନୈତିକ ଅସ୍ଥିରତା ଓ ଉଭୟ ରିପବ୍ଲିକାନ୍ ତଥା ଡେମୋକ୍ରାଟିକ ଦଳର ନେତାଙ୍କ ଅଦୁରଦର୍ଶୀ ନୀତି ଯୋଗୁ ଏଭଳି ସାମରିକ ସଙ୍କଟ ସୃଷ୍ଟି ହୋଇଛି  ।

– ଏଭଳି ସ୍ଥିତିରେ ଯଦି ଯୁଦ୍ଧ ହୁଏ ତେବେ ଆମେରିକୀୟ ସେନାକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ଓ ଦରକାର ହେଲେ ରୁଷ୍, ଚୀନ ନିକଟରୁ ଯୁଦ୍ଧରେ ଆମେରିକା ହାରିପାରେ  ।

ସୁପର ପାୱାର୍ ଆମେରିକା  । ଯାହା ନିକଟରେ ରହିଛି ୧.୪ ନିୟୁତ ସକ୍ରିୟ ସେନାର ସାମର୍ଥ୍ୟ  । ଏହା ବ୍ୟତୀତ ତିନି ବାହିନୀ ନିକଟରେ ରହିଛି ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ୱାର୍ ନେଟୱର୍କ  । ଆମେରିକା ପାଖରେ ୪୪୮୦ରୁ ଉଦ୍ଧ୍ୱର୍ ପରମାଣୁ ଅସ୍ତ୍ର ଥିବା କୁହାଯାଏ  । ବିମାନବାହୀ ଜାହାଜ, ଲଢୁଆ ହେଲିକପ୍ଟର, ଡେଷ୍ଟ୍ରୟର ଶ୍ରେଣୀୟ ଯୁଦ୍ଧାସ୍ତ୍ର, ଦୁରଗାମୀ ବାଲିଷ୍ଟିକ୍ ମିସାଇଲ୍ ଓ ଅନ୍ୟାନ୍ୟ ଯୁଦ୍ଧସାମଗ୍ରୀ ମଧ୍ୟ ଆମେରିକା ପାଖରେ ବିପୁଳ ସଂଖ୍ୟାରେ ମହଜୁଦ୍ ରହିଛି  । ତେବେ ଟ୍ରମ୍ପ ପ୍ରଶାସନର ପ୍ରତିରକ୍ଷା ବଜେଟ୍ ହ୍ରାସ ଆମେରିକା ଶକ୍ତିକୁ କମାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି  ।