ଆଜି ବିଶ୍ୱ ପଖାଳ ଦିବସ: ଗାଁଠୁ ସହର ସବୁଠି ଚାଲିଲା ପଖାଳ ଖିଆ

143

କନକ ବ୍ୟୁରୋ: କଂସାରେ ପଖାଳ । କଂସା ଚାରିକଡ଼େ ତିଅଣ । ଭଜା, ଚକଟା, ବଡ଼ିଚୁରା, ଚିପ୍ସ । କେତେ କିସମର ଆଇଟମ୍ । ପେଟ ଭରୁଥିବା ପଖାଳ, ଏବେ ଗୋଟିଏ ଜାତିର ପରିଚିତ । ଓଡ଼ିଆଙ୍କ ପ୍ରିୟ, ଓଡ଼ିଶାର ପ୍ରିୟ । ପ୍ରିୟ ପଖାଳ ଓଡ଼ିଆଙ୍କ କେତେ ପ୍ରିୟ, ପଖାଳ ଦିବସରେ ତା’ର ଝଲକ ଦେଖିବାକୁ ମିଳିଛି । ଗାଁଠୁ ସହର, ରାସ୍ତାକଡ ହୋଟେଲଠୁ ପଂଚତାରକା ହୋଟେଲ ସବୁଠି ଆଜି ପଖାଳର ଚାହିଦା ।

କି ନେତା, କି ମନ୍ତ୍ରୀ । ସାନ-ବଡ଼, ଧନୀ ଗରିବ । ସବୁ ଭେଦଭାବକୁ ଭେଦ କରି ସମସ୍ତଙ୍କୁ ଏକାକାର କରିଦେଇଛି ପଖାଳ କଂସା । କିଏ ବିଲ ହୁଡ଼ାରେ ବସି ପଖାଳ ଖାଇଛି, ତ ଆଉ କିଏ ତାରକା ହୋଟେଲରେ ପଖାଳ ଖାଇଛି । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ପଖାଳ ।

ଦେଶୀ ପଖାଳର ଚାହିଁଦା ବିଦେଶ ମାଟିରେ ବି କିମିଆ କରିଛି । ସୂଦର ଆମେରିକା ଓ ଦୁବାଇରେ ରହୁଥିବା ଓଡ଼ିଆ, ପଖାଳ କଂସା ଜରିଆରେ ନିଜ ମାଟି ସହ ଯୋଡ଼ି ହୋଇଛନ୍ତି । ଦେଶରେ, ବିଦେଶରେ, ଓଡ଼ିଶାରେ ସବୁଠି ଜମିଛି ପଖାଳ ଦିବସର ଆସର ।

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହେଉଛି ବିଶ୍ୱ ପଖାଳ ଦିବସ । ପଖାଳର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଆଜିର ଦିନଟିକୁ ବେଶ ଉତ୍ସାହର ପାଳନ କରିଛନ୍ତି । ଆଉ ଏହି ଉତ୍ସବ ହିଁ ପ୍ରମାଣିତ କରିଦେଉଛି ପଖାଳର ଆଦର କେତେ?