ପଞ୍ଜାବ ପୁଲିସର ନିଦ ହଜାଇଛି ଖଲିସ୍ତାନୀ ନେତା। ଚକମା ଦେଇ କୁଆଡେ ଗଲା ଅମ୍ରିତ ପାଲ?

106

କନକ ବ୍ୟୁରୋ: ପଞ୍ଜାବରେ ଚାଲିଛି ପୁଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା । ବାରିସ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂକୁ ନେଇ ଚିନ୍ତାରେ ଏବେ ପଞ୍ଜାବ ପୁଲିସ । ଶତାଧିକ ସଂଖ୍ୟକ ପୁଲିସର ଚେଷ୍ଟା ସତ୍ୱେ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଛି ଏହି ହାଇପ୍ରୋଫାଇ ଅପରାଧୀ । ୪୮ ଘଣ୍ଟା ହେଲାଣି ପୁଲିସ ପାଉନି ଅମ୍ରିତ ପାଲର ଟେର । କଡ଼ା ସୁରକ୍ଷା ଭିତରେ କେମିତ ପୁଲିସ ହାତରୁ ଖସିଲା ଅମ୍ରିତ ପାଲ? କୁଆଡେ ଗଲା ଅମ୍ରିତ ପାଲ? ପଞ୍ଜ।।ବ ପୁଲିସ ବିଫଳତା ପଛର କାରଣ କଣ? ଏମିତି ଅନେକ ପ୍ରଶ୍ନ ଉଠୁଛି । ସେପଟେ ଅକାଳୀ ଓ କଂଗ୍ରେସ ଦଳ ଏହା ପଛରେ ବିଜେପି ଏବଂ ଆମ ଆଦମୀ ପାର୍ଟିର ମିଳିତ ରାଜନୈତିକ ଷଡଯନ୍ତ୍ର ଥିବା କହିଛନ୍ତି ।

ଚୋର-ପୁଲିସ ଖେଳ ଭିତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଅମ୍ରିତପାଲ ସିଂର ସମ୍ପର୍କ ରହିଥିବା ଭାରତୀୟ ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି ।

ଦୁବାଇରେ ଟ୍ରକ ଡ୍ରାଇଭର ଥିବା ଅମ୍ରିତ ପାଲ ଯେବେଠୁ ପଞ୍ଜାବ ଫେରିଛି ସେବେଠୁ ଅଶାନ୍ତ ହୋଇପଡିଛି ରାଜ୍ୟ । ଅଜନାଲ ଘଟଣା ପରେ ପୁଲିସ ଓ ତଦନ୍ତକାରୀ ଏଜେନ୍ସିର ରାଡାରରେ ରହିଛି ଅମ୍ରିତ ପାଲ । ଏହା ଭିତରେ ଖୁଲ୍ଲାସା ହୋଇଛି —
ଆଇଏସଆଇ ‘ହାତ କଣ୍ଢେଇ’ ଅମ୍ରିତ ପାଲ!
• ଭାରତକୁ ଆସିବା ପୂର୍ବରୁ ଜର୍ଜିଆରେ ଆଇଏସଆଇଠୁ ତାଲିମ ନେଇଥିଲା ଅମ୍ରିତ ପାଲ !
• ଦୁବାଇରେ ରହିବା ସମୟରେ ଆଇଏସଆଇ ସମ୍ପର୍କରେ ଆସିଥିଲା !
• ପଞ୍ଜାବରେ ଖଲିସ୍ତାନୀ ଆନ୍ଦୋଳନର ଉଦ୍ଦେଶ୍ୟ ରଖିଥିଲା !
• ପାକିସ୍ତାନର ନିର୍ଦ୍ଦେଶରେ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା କରିଥିଲା!
• ଆଇଏସଆଇ ଅମ୍ରିତ ପାଲଙ୍କୁ ମୋଟା ଅଙ୍କର ଅର୍ଥ ଦେଇଥିଲା!
• ଜଳନ୍ଧରର ଆନନ୍ଦପୁରରେ ଅମ୍ରିତ ପାଲ ଏକ ସିକ୍ରେଟ ଫୋର୍ସ ଗଠନ କରୁଥିଲା !
• ନିଶାମୁକ୍ତି କେନ୍ଦ୍ର ଓ ଗୁରୁଦ୍ୱାରାରେ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖୁଥିଲା!
• ଆତ୍ମଘାତୀ ଆକ୍ରମଣ ପାଇଁ କିଛି ଯୁବକଙ୍କୁ ତାଲିମ ଦେଉଥିଲା!

ଅମ୍ରିତ ପାଲର ଶତାଧିକ ସମର୍ଥଙ୍କୁ ଗିରଫ କରାଯିବା ସହ ତା ଠିକଣାରୁ ବିପୁଳ ମାତ୍ରାର ହତିଆର ଜବତ କରାଯାଇଛି । ପରିବାର ଲୋକ ଅମ୍ରିତ ପାଲ ବିଷୟରେ କିଛି ଜାଣିନଥିବା କହୁଛନ୍ତି ସେପଟେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ପୂରା ପଞ୍ଜାବରରେ ଇଣ୍ଟରନେଟ ସେବା ବନ୍ଦ ରଖାଯିବା ସହ କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଅମ୍ରିତ ପାଲର ଦାଦା ଓ ଡ୍ରାଇଭର ଆତ୍ମସମପର୍ଣ କରିସାରିଛନ୍ତି । ପ୍ରଶ୍ନ ଉଠୁଛି ଟ୍ରକ ଡ୍ରାଇଭରୁ ଖଲିସ୍ତାନୀ ନେତା ସାଜିିଥିବା ଅମ୍ରିତ ପାଲକୁ ଧରିବା ପାଇଁ ପ୍ରକୃତରେ ପଞ୍ଜାବ ପୁଲିସ ସକ୍ଷମ ନୁହେଁ ନା ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି?