ବିବାଦ ମଧ୍ୟରେ ବେଜିଂ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ! ସେପଟେ ପୂର୍ବତନ ସାମରିକ ଅଧିକାରୀ କହିଲେ ଭାରତ ସହ ଯୁଦ୍ଧ କରିବାକୁ ଡରୁଛି ଚୀନ୍

45

କନକ ବ୍ୟୁରୋ: ଭାରତ-ଚୀନ ବିବାଦ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତାକାଲି ଚୀନ ଯାଉଛନ୍ତି । ଚୀନର ଆୟୋଜିତ ହେଉଛି ବ୍ରିକସ ସମ୍ମିଳନୀ । ଆଉ ଏଥିରେ ଯୋଗଦେବେ ଡୋଭାଲ । ଆସନ୍ତାକାଲି ଓ ୨୮ ତାରିଖରେ ସେ ବେଜିଂରେ ରହିବେ । ଦୁଇଦେଶ ମଧ୍ୟରେ ବିବାଦ ବଢୁଥିବା ବେଳେ ଚୀନ ନେଇ ଡୋଭାଲଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।

ଡୋକଲାମରେ ଉତ୍ତେଜନା ସତ୍ୱେ ବ୍ରିକ୍ସରେ ଉଭୟ ଦେଶ ମଧ୍ୟରେ ଆଲୋଚନାକୁ ବେଜିଂ ସ୍ୱାଗତ କରିଛି । ବ୍ରିକ୍ସ ସମ୍ମିଳନୀ ଅବସରରେ ଚୀନ୍ ପ୍ରତିପକ୍ଷ ୟାଙ୍ଗ ଚି’ଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ପୂର୍ବରୁ କଥାବାର୍ତ୍ତା ନକରିବା ପାଇଁ ଜିଦରେ ଅଟଳ ରହୁଥିବା ଚୀନ୍ ଶେଷରେ ଏନଏସଏ ସ୍ତରୀୟ କଥାବାର୍ତ୍ତା ପାଇଁ ରାଜି ହୋଇଛି ।

ଡୋକଲାମରୁ ଭାରତ ସେନା ନ ହଟାଇଲେ କଥାବାର୍ତ୍ତା ହେବନି ବୋଲି ପୂର୍ବରୁ କହୁଥିବା ଚୀନ୍ ଏବେ ଉଭୟ ଦେଶର ଏନଏସଏଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ସବୁଜ ସଙ୍କେତ ଦେଇଛି । ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ବେଜିଂ ଯାତ୍ରା କରିବେ ଡୋଭାଲ । ବ୍ରିକ୍ସରେ ବ୍ରାଜିଲ, ଋଷ, ଭାରତ, ଚୀନ୍ ଓ ଦକ୍ଷିଣଆଫ୍ରିକା ସାମିଲ ହେବେ । ଉଭୟ ଦେଶର ଏନଏସଏଙ୍କ ମଧ୍ୟରେ ଆଲୋଚନା ସଫଳ ହେଲେ ସିକ୍କିମ ସୀମାରେ ଉତ୍ତେଜନା ହ୍ରାସ ହେବା ସମ୍ଭାବନା ରହିଛି ।