ବଲିଉଡ଼କୁ ଡ଼େଇଁଲା ପୁଲୱାମା ଆତଙ୍କୀ ହମଲା ପ୍ରତିଶୋଧର ନିଆଁ ! ପାକ୍ କଳାକାରଙ୍କୁ ବ୍ୟାନ୍ କଲା ଫିଲ୍ମ ଜଗତ ।

2,188

କନକ ବ୍ୟୁରୋ: ସାରା ଦେଶରେ ଜଳୁଛି ପୁଲୱାମା ଆତଙ୍କୀ ହମଲା ପ୍ରତିଶୋଧର ନିଆଁ । ଏହା ବଲିଉଡ଼ ଜଗତକୁ ଡ଼େଇଁଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଆଜି ମୁମ୍ବାଇରେ  ଫିଲ୍ମ କଳାକାର ସଂଗଠନ ଆଇଏଫଟିଡ଼ିଏ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଆଇଏଫଟିଡ଼ିଏର ସଭାପତି ଅଶୋକ ପଣ୍ଡିତ କହିଛନ୍ତି ଯେ, ବଲିଉଡ଼ ଫିଲ୍ମ ଜଗତର ଲକ୍ଷାଧିକ ଲୋକ କାନ୍ଧରେ କାନ୍ଧ ମିଶାଇ ସୁରକ୍ଷା ବଳ ଓ ସରକାରଙ୍କ ସହିତ ଛିଡ଼ା ହୋଇଛନ୍ତି। ଫିଲ୍ମ କଳାକାରଙ୍କ ସଂଗଠନ ଆଇଏଫଟିଡିଏ ନିଷ୍ପତ୍ତି ନେଇଛି ଯେ, ପାକିସ୍ତାନୀ କଳାକାରଙ୍କ ସହିତ ଏବେ ଆଉ କାମ କରାଯିବ ନାହିଁ। ସେମାନଙ୍କୁ ଭାରତରେ ଫିଲ୍ମ ସହିତ ଜଡ଼ିତ କୌଣସି କାମରେ ସାମିଲ କରାଯିବ ନାହିଁ।

ଯଦି ଏହି ନିୟମକୁ ପାଳନ ନକରି କୌଣସି ଫିଲ୍ମ ନିର୍ମାତା କି ପ୍ରଯୋଜକମାନେ ପାକିସ୍ତାନି କଳାକାରଙ୍କୁ କଣ୍ଟ୍ରାକ୍ଟ ଦିଅନ୍ତି ତେବେ ସେହି ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ବର୍ଜନ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଆଇଏଫଟିଡ଼ିଏର ସଭାପତି ଅଶୋକ ପଣ୍ଡିତ । ସେହିପରି ଆମେ ସଂକଳ୍ପ ନେଉଛୁ ଯେ ୪୦ ଯବାନଙ୍କ ବଳିଦାର ବ୍ୟର୍ଥ ଯିବ ନାହିଁ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂହ, ସୁରେଶ ରୈନାଙ୍କ ଭଳି କ୍ରୀଡ଼ାବତ୍ ମାନେ ମତ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ପୁଲଓ୍ଵାମାରେ ଗୁରୁବାର ସିଆରପିଏଫ ଗାଡ଼ି ଉପରେ ହୋଇଥିବା ଆତଙ୍କୀ ହମଲାର ୭୨ ଘଣ୍ଟାରୁ ଉଦ୍ଧ୍ୱର୍ ବିତିଯାିଥିଲେ ମଧ୍ୟ ଦେଶରେ ଆକ୍ରୋଶର ମାହୋଲ ଭରି ରହିଛି । ଯେଉଁଥିପାଇଁ ଦିଲ୍ଲୀ, ମୁମ୍ଵାଇ, ଜୟପୁର ସମେତ ଦେଶର ସମସ୍ତ ସହରରେ ଆତଙ୍କବାଦ ଓ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଓ ଶୋଭାଯାତ୍ରା ଜାରି ରହିଛି ।