କେମିତି ଗତି କରୁଛି ‘ତିତଲି ‘? କଣ ପଡିବ ଓଡିଶାରେ ପ୍ରଭାବ? କେଉଁ ଜିଲ୍ଲା ହେବ ପ୍ରଭାବିତ ? କେତେ ରହିବ ପବନର ବେଗ? ପଢନ୍ତୁ ‘ତିତଲି’ର ତାଜା ଖବର

167

କନକ ବ୍ୟୁରୋ: ତିତଲିର ତାଜା ଖବର । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରତି ଘଂଟାରେ ୫୫ରୁ ୬୦ କିଲୋମିଟର ବେଗରେ ଉତର-ପଶ୍ଚିମ ଆଡକୁ ଗତି କରୁଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପଟ୍ଟନମ –ଗୋପାଳପୁର ମଧ୍ୟରେ ଅତିକ୍ରିମ କରିବା ସମ୍ଭାବନା ରହିଛିା ଏହି ସମୟରେ ପବନର ବେଗ ୯୦ରୁ ଶହେ କିଲୋମିଟର ଭିତରେ ରହିବ । ଏହା ପ୍ରଭାବରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ବଢିବ । ୧୦-୧୧ ତାରିଖରେ ଦକ୍ଷିଣ ଓଡିଶା-ଉପକୂଳ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୧୨ ତାରିଖରୁ ବର୍ଷାର ପରିମାଣ କମିବ । ଏହା ସହ ଆଜି ସକାଳେ ସାଇକ୍ଲୋନ ଆଲର୍ଟ ଜାରି କରାଯାଇଛି ।

 

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇଛି । ପବନର ଦିଗ କେମିତି ରହିଛି ଏବଂ ବଙ୍ଗୋପସାଗରରେ ପବନର ଦିଗ ଓ ଗତିକୁ ନେଇ ଗ୍ରାଫିକ୍ସ ଜରିଆରେ ନଲସ୍କୁଲ ନାମକ ଏକ ସଂସ୍ଥା ତିତଲିକୁ ବର୍ଣ୍ଣନା କରିଛି । ଏ ହେଉଛି ସେହି ଚିତ୍ର । ଏହା ଏବେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଓଡିଶା ଓ ଆନ୍ଧ୍ର ଆଡକୁ ଗତି କରୁଛି । ଗତ ତିନି ଘଂଟା ହେଲାଣି ଘଂଟାପ୍ରତି ୧୦ କିମି ବେଗରେ ଉପକୂଳ ଆଡକୁ ଗତି କରୁଛି । ଡିପ୍ ଡିପ୍ରେସନ ଗୋପାଳପୁରଠାରୁ ଦକ୍ଷିଣପୂର୍ବ ଦିଗରେ ୫୬୦ କିମି ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମଠାରୁ ୫୩୦ କିମି ଦୂରରେ ରହିଛି । ଅଗାମୀ ୨୪ ଘଂଟାରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

 

ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ଗଂଜାମ,ଗଜପତି, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସହ ପବନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ୫ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଳା ପାଇଁ ଏହି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଳାରେ ଆସନ୍ତାକାଲିଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ଦୁଇ ଦିନ ଧରି ବର୍ଷାର ପରିମାଣ ବଢିବ । ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।