ସମୟ ଗଡୁଛି, ରହସ୍ୟ ବଢୁଛି । କ୍ରିକେଟର ରାଜଶ୍ରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ନୂଆ ଦିଗ

କନେଷ୍ଟବଳ ଚାକିରି ପାଇଁ ତାଲିକାରେ ଥିଲା ରାଜଶ୍ରୀଙ୍କ ନାଁ

152

କନକ ବ୍ୟୁରୋ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତିନି ଦିନ ପରେ ବି ପୁଲିସ ମୃତ୍ୟୁର କାରଣ ପାଖରେ ପହଞ୍ଚି ପାରିନାହିଁ । କଲ ଡିଟେଲ୍ସ ଯାଞ୍ଚ ସହ ସାଥୀ ଖେଳାଳିଙ୍କୁ ପୁଲିସ ପଚରାଉଚରା କରିଛି । ଆଉ ମୃତ୍ୟୁର କାରଣ ଜାଣିବାକୁ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଏପରି ସମୟରେ ପରିବାର ଲୋକ ପୁଣି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

  • ରାଜଶ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ
  • ପରିବାରର ଚାଞ୍ଚଲ୍ୟକର ଅଭିଯୋଗ
  • ଚାକିରି କରାଇନଦେବାକୁ ଷଡଯନ୍ତ୍ର!

କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ପରିବାର ଲୋକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । କହିଛନ୍ତି, ରାଜଶ୍ରୀ ଓଡ଼ିଶା ପୋଲିସରେ କନେଷ୍ଟବଳ ଚାକିରି ପାଇଥାନ୍ତେ । ଏଥିପାଇଁ ପ୍ରସୁତ ତାଲିକାରେ ତାଙ୍କ ନାଁ ରହିଥିଲା । ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ମଧ୍ୟ ସେ ଦାଖଲ କରିଥିଲେ । କିନ୍ତୁ ତାଙ୍କୁ ଚାକିରି ନଦେବାକୁ ଷଡଯନ୍ତ୍ର କରିଥିଲା ଓସିଏ । ଏପରିକି ଯୋଜନାବଦ୍ଧ ଭାବେ ରାଜଶ୍ରୀଙ୍କୁ ଚୂଡାନ୍ତ ଦଳରୁ ବାଦ ଦିଆଯାଉଥିିଲା ବୋଲି । ଅଭିଯୋଗ ହୋଇଛି । ତେଣୁ ଓସିଏ ବିରୋଧରେ କେସ କରିବାକୁ ରାଜଶ୍ରୀ ଚେତାବନୀ ଦେଇଥିବା ପରିବାର ଲୋକ କହିଛନ୍ତି ।

ରାଜଶ୍ରୀଙ୍କ ପରିବାର ଆଣିଥିବା ଅଭିଯୋଗ ସିଧା ଓସିଏ ଉପରେ ଅଙ୍ଗୁଳି ଉଠାଉଛି । ସେପଟେ ଜବତ ରାଜଶ୍ରୀଙ୍କ ହାତଲେଖା ଚିଠିରେ କୋଚ ଓ ମାଣ୍ଡେଲା ସାରଙ୍କ ବିରୋଧରେ ଅଭିଯୋଗ ରହିିଛି । ପ୍ରଶ୍ନ ଉଠୁଛି , ରାଜଶ୍ରୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ସବୁ ଅଭିଯୋଗକୁ ତଦନ୍ତ ପରିସରକୁ ନେବ କି ପୁଲିସ?

  • ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି
  • କ୍ରୀଡାମନ୍ତ୍ରୀ ଓ ଓସିଏକୁ ଦାୟୀ କଲା ଦଳ

ମହିଳା କ୍ରିକେଟରଙ୍କ ମୃତ୍ୟୁ ପାଇଁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ସହ ଓସିଏକୁ ଦାୟୀ କରିଛି ବିଜେପି ମହିଳା ମୋର୍ଚ୍ଚା । ଏଥିସହ ପ୍ରଶ୍ନ କରିଛନ୍ତି, ମହିଳାଙ୍କ ସମ୍ମାନ କଥା କହୁଥିବା ସରକାର ମହିଳା କ୍ରିକେଟରଙ୍କ ମୃତ୍ୟୁକୁ ନେଇ ନିରବ କାହିଁକି? ରାଜଶ୍ରୀ ନିଖୋଜର ୨ ଦିନ ପରେ ବି ଓସିଏ କାହିଁକି ପରିବାର କିମ୍ବା ପୁଲିସକୁ ଜଣାଇଲା ନାହିଁ ? ରାଜଶ୍ରୀ ନିଖୋଜ ହେବା ପରେ ପରିବାର ଲୋକେ ମନ୍ତ୍ରୀଙ୍କୁ ଫୋନ କରିଥିଲେ । କିନ୍ତୁ ମନ୍ତ୍ରୀ ହକି ବିଶ୍ୱକପରେ ବ୍ୟସ୍ତ ଥିବା କହି ଫୋନ କାଟିଦେଇଥିଲେ୍ ବୋଲି ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା ।

ରାଜଶ୍ରୀଙ୍କ କଲ ଡିଟେଲ୍ସ ଯାଞ୍ଚ ସହ ପୁଲିସ ସାଥୀ ଖେଳାଳିଙ୍କୁ ପଚରାଉଚରା କରିଛି । ପ୍ରାଥମିକ ତଦନ୍ତ ପରେ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି । ଏବେ ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।