ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ହୋଇଥିବା ଓଡ଼ିଆ ପୁଅଙ୍କୁ ନେଇ ବଢ଼ିଲା ଚର୍ଚ୍ଚା। ଅମିତ ରୋହିଦାସଙ୍କ ସଙ୍ଘର୍ଷମୟ ଯାତ୍ରା।

107

କନକ ବ୍ୟୁରୋ: ହାତରେ ନା ଥିଲା ଅତ୍ୟାଧୁନିକ ହକି ଷ୍ଟିକ୍, ନା ଥିଲା ଖେଳିବାକୁ ଆଷ୍ଟ୍ରୋଟର୍ଫ । ହାତତିଆରି କେନ୍ଦୁ ବାଡ଼ି, ବାଉଁଶଫାଳିଆରେ ଘର ଅଗଣା, ନହେଲେ ଗାଁ ପଡିଆରେ ହକିର କୌଶଳ ଶିଖିଥିଲେ ଅମିତ । କୌଶଳ ଶିଖାଇବାକୁ କେହି ନଥିଲେ । ଦେଖାଶିଖାରେ ପିଲାଦିନର ହକି ଅଭ୍ୟାସ ଆଗକୁ ବଢିଥିଲା । ପରବର୍ତୀ ସମୟରେ ଅମିତଙ୍କ ଆଗ୍ରହ, ସାମର୍ଥ୍ୟ ଓ ପରିଶ୍ରମ ତାଙ୍କ ରାସ୍ତା ଖୋଲି ଦେଇଥିଲା । ଆଉ ହକି ସମ୍ଭାବନାକୁ ଆବିଷ୍କାର କରିଥିଲେ ହକି ଖେଳାଳି ଚୟନ ସଂସ୍ଥା, କେନ୍ଦ୍ରର ସାଇ ଓ ରାଜ୍ୟ ସରକାରଙ୍କ କ୍ରୀଡା ଛାତ୍ରାବାସ ।

ଭାରତୀୟ ହକି ଦଳର ଉପ-ଅଧିନାୟକ ଥିବା ଅମିତଙ୍କ ଯାତ୍ରା ଥିଲା ସଂଘର୍ଷପୂର୍ଣ୍ଣ । ଅମିତଙ୍କ ବାପା ଗୋପାଳ ରୋହିଦାସ ଜୋତା ମରାମତି କରି ବହୁ କଷ୍ଟରେ ପରିବାର ଚଳାଉଥିଲେ । ଅଭାବ-ଅନଟକ ଯୋଗୁଁ ସେ ଅନେକ ସମୟରେ ଦାଦନ ଖଟିବାକୁ ଗୋଆ, ମୁମ୍ବାଇ ଚାଲିଯାଉଥିଲେ । ଏତେ ସଂଘର୍ଷ ଭିତରେ ବି ହକି ଖେଳ ପ୍ରତି ଗୋପାଳଙ୍କ ଥିଲା ଅହେତୁକ ଆଗ୍ରହ । ହକି ଖେଳ କଥା ଶୁଣିଲେ ସବୁ କାମ ଛାଡିଧାଇଁ ଯାଉଥିଲେ । ଗୋପାଳଙ୍କ ଏହି ହକି ପାଗଳାମୀକୁ ଅତି ପାଖରୁ ଦେଖିଥିବା ସାନପୁଅ ଅମିତ ହକି ପ୍ରେମରେ ପଡି ଯାଇଥିଲେ ।

୨୦୦୪ରେ ଅମିତ, ପାନପୋଷ କ୍ରୀଡା ଛାତ୍ରାବାସରେ ଯୋଗଦେବା ପରେ ବଦଳିିଯାଇଥିଲା ସବୁ କିଛି । ଭାରତୀୟ ଦଳରେ ସାମିଲ ହେବା ସହ ଅଲମ୍ପିକ୍ସ ପଦକ ଯାଏଁ, ଗୋଟି ଗୋଟି କରି ସଫଳତା ହାସଲ କରିଥିଲେ । ପିଲାଦିନେ ବାଉଁଶ ଓ କାଠଫାଳିଆରେ ହକି ଖେଳୁଥିବା ଅମିତ ରୋହିଦାସ ଆଜି ଭାରତୀୟ ଦଳର ପ୍ରମୁଖ ଚେହେରା ।