ଧରାପଡ଼ିଲା ଫାଇଭ-ଟି ସ୍କୁଲ ଚୋର, ଜଗତସିଂହପୁରରୁ ମିଳିଲା ସୁନ୍ଦରଗଡରୁ ଚୋରି ହୋଇଥିବା ଟିଭି

168

କନକ ବ୍ୟୁରୋ : ଧରାପଡ଼ିଲା ଫାଇଭ-ଟି ସ୍କୁଲ ଚୋର । ଜଗତସିଂହପୁରରୁ ମିଳିଲା ସୁନ୍ଦରଗଡରୁ ଚୋରି ହୋଇଥିବା ଟିଭି ଓ ଅନ୍ୟାନ୍ୟ ଚୋରୀ ସାମଗ୍ରୀ । ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ଖେଳାଉଥିବା ଚୋରଙ୍କ ଟାର୍ଗେଟରେ ଥିଲା ଫାଇଭ-ଟି ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର । ଗୋଟିଏ ଗୋଟିଏ ରାତିରେ ୧୦ରୁ ଅଧିକ ସ୍କୁଲରୁ ଗାଏବ ହୋଇଯାଉଥିଲା ସମସ୍ତ ଜିନିଷ । ଏଭଳି ଏକ ଚାଂଚଲ୍ୟକର ଖବର ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି । ଫାଇଭ-ଟି ସ୍କୁଲ ହେବା ପରେ ବିଦ୍ୟାଳୟ ମାନଙ୍କରେ ଦାମି ଜିନିଷ ଲାଗିଥିଲା ।

ବଡ଼ ବଡ଼ ଏଲଇଡ଼ି ସାଙ୍ଗକୁ କମ୍ପ୍ୟୁଟର, ପ୍ରିଣ୍ଟର ଭଳି ବହୁ ଗୁରୁତ୍ୱପୂଣ୍ଣ ସାମଗ୍ରୀ ସ୍କୁଲରେ ଲାଗିଥିଲା । ଏହି ସବୁ ଜିନିଷ ଲୁଟ କରିବା ପାଇଁ ଯୋଜନାବଧ ଭାବେ ଉଦ୍ୟମ କରୁଥିଲେ ଲୁଟେରା ଗ୍ୟାଙ୍ଗ । ସୁନ୍ଦରଗଡ଼ ଜିଲ୍ଲାର ଜଙ୍ଗଲ ଅଂଚଳ କିମ୍ବା ଯେଉଁ ଅଂଚଳ ଟିକେ ଗାଁ ଠାରୁ ଦୂରରେ ରହୁଥିବା ବିଦ୍ୟାଳୟ ଗୁଡ଼ିକୁ ଟାର୍ଗେଟ୍ କରି ଲୁଟ୍ କରୁଥିଲେ ଲୁଟେରା । ପିକଅପ୍ ଭ୍ୟାନ୍, ଟାଟା ମ୍ୟାଜିକ୍ ଓ ବାଇକ ନେଇ ସ୍କୁଲରେ କେହି ନଥିବା ସମୟରେ ବିଦ୍ୟାଳୟ ତାଲା ଭାଙ୍ଗି ଏମାନେ ନିଦ୍ୱେର୍ାନ୍ଦ୍ୱରେ ଲୁଟ୍ କରୁଥିଲେ । ବିଦ୍ୟାଳୟରେ ଭର୍ଚୁଆଲ କ୍ଲାସ ପାଇଁ ଥିବା ଏଲଇଡ଼ି ଟିଭି, ସୋଲାର ପ୍ୟାନେଲ, ବ୍ୟାଟେରି, ଚେୟାର, ଫ୍ୟାନ, ଗ୍ୟାସ ସିଲିଣ୍ଡର ଭଳି ସାମଗ୍ରୀ ଚୋରୀ କରିନେଉଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ସଦର ଥାନା, ଟାଉନ ଥାନା, କିଞ୍ଜିରିକେଲା ଥାନା, ଧାରୁଆଡ଼ିହି ଥାନା, ତଳସରା ଥାନା ଅଂଚଳରେ ଏମାନେ ତାଙ୍କର କାୟା ବିସ୍ତାର କରିଥିଲେ । ବିଦ୍ୟାଳୟ ସହିତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଟାର୍ଗେଟ କରି ବିପୁଳ ପରିମାଣର ଚାଉଳ, ରୋଷେଇ ହେବାକୁ ଥିବା ଆସଭାବପତ୍ର ଏମାନେ ଚୋରି କରି ନେଉଥିଲେ । ଏନେଇ ବିଭିନ୍ନ ସ୍ଥାନରୁ ଲିଖିତ ଅଭିଯୋଗ ପାଇବା ପରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।