ସ୍ୱାଧୀନତାର ୭୦ବର୍ଷ ! ଉନ୍ନତିର ଚେହେରାରେ ଲାଗିଛି ଦୁର୍ନୀତିର ଦାଗ

85

ପ୍ରାୟ ୨୦୦ବର୍ଷର ଗୋଲାମୀ ପରେ ଅଗଷ୍ଟ ୧୫, ୧୯୪୭ ଦିନ ଉଇଁଥିଲା ସ୍ୱାଧୀନତାର ପ୍ରଥମ ସୂର୍ଯ୍ୟ । ସ୍ୱାଧୀନ ଦେଶରେ ସ୍ୱାଧୀନ ଭାବରେ ପ୍ରଥମ ଥର ନିଶ୍ୱାସ ନେଇଥିଲେ ଦେଶବାସୀ । ତେବେ ସ୍ୱାଧୀନତା ପଛରେ ଅଛି ଅନେକ ଅଜ୍ଞାତ ଲୋକଙ୍କ ଆତ୍ମବଳୀଦାନ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ନିଜର ପ୍ରଥମ ସମ୍ବୋଧନରେ ଦେଶବାସୀଙ୍କୁ କହିଥିଲେ, ଆମକୁ ସେ ସମସ୍ତ ବନ୍ଧନକୁ ଭାଙ୍ଗି ଆଗକୁ ଯିବାକୁ ପଡିବ ଯାହା ପାଇଁ ମହାନ ଭାରତ ଗୋଲାମୀର ବେଡିରେ ବନ୍ଧା ପଡିଥିଲା ।

ତେବେ ୧୯୪୭ ରୁ ୨୦୧୭ ପର୍ଯ୍ୟନ୍ତ ଭାରତୀୟ ଲୋକତନ୍ତ୍ରର ଯାତ୍ରା ଯେଉଁଠି ଦେଶର କ୍ଷମତା ଏବଂ ଶକ୍ତିକୁ ପ୍ରଦର୍ଶନ କରୁଛି ସେଇଛି ଉନ୍ନତିର ଚେହେରାରେ ଦୁର୍ନୀତିର ଏମିତି କିଛି ଦାଗ ଲାଗିଛି ଯାହା ଭାବିବାକୁ ବାଧ୍ୟ କରୁଛି । ଏଥିରେ ଦ୍ୱିମତ ନାହିଁ ଯେ ବିକାଶ ଆଡକୁ ଦେଶ ଦ୍ରୁତଗତିରେ ବଢିଚାଲିଛି । କିନ୍ତୁ ସମୟ ସମୟରେ ଏମିତି କିଛି ମାମଲା ଆସୁଛି ଯେଉଁଥି ପାଇଁ ବିକାଶରେ ଲାଗି ଯାଉଛି ବ୍ରେକ୍ । ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ଯାଏଁ ଘୋଟାଲା ଏବଂ ଦୁର୍ନୀତିର ଏକ ଲମ୍ବା ତାଲିକା ସହ ଲମ୍ବା କାହାଣୀ ମଧ୍ୟ ରହିଛି । କିନ୍ତୁ ଆମେ ଦୁର୍ନୀତିର ଏମିତି କିଛି ଦାଗ ବିଷୟରେ କହିବୁ ଯାହା ଭାରତକୁ ଲଜ୍ଜିତ କରିଛି ।

କୋଇଲା ଘୋଟାଲା : ଏହି ଘୋଟାଲାରେ କୋଇଲା ଖଣିକୁ ଭୁଲ୍ ଭାବରେ ଆବଂଟନ କରାଯାଇଥିଲା । ବିନା କୌଣସି ନୀତି ନିୟମରେ କୋଇଲା ଖଣିର ନିଲାମୀ କରାଯାଇଥିଲା ଯେଉଁଥିରେ ୧.୮୬ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା । ମନମୋହନ ସିଂହଙ୍କ ସରକାର ସମୟରେ ଏହି ଘୋଟାଲା ହୋଇଥିଲା ।

୨ ଜି ସ୍ପେକ୍ଟ୍ରମ୍ ଘୋଟାଲା : ଏହି ଘୋଟାଲା ଦେଶର ଅନ୍ୟତମ ବଡ଼ ଘୋଟାଲା ଥିଲା । ଏଥିରେ ୟୁନିଫାଏଡ୍ ଆକସେସ୍ ସର୍ଭିସ୍ ଲାଇସେନ୍ସର ଆବଂଟନ ହୋଇଥିଲା । ଏହି ସ୍କାମରେ ୧.୭୬ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । ୨ ଜି ଘୋଟାଲା କୋଇଲା ଘୋଟାଲାର ୫ବର୍ଷ ପୂର୍ବରୁ ହୋଇଥିଲା ।

ୱକଫ୍ ବୋର୍ଡ ଘୋଟାଲା : ଏହି ଘୋଟାଲାରେ କର୍ଣ୍ଣାଟକର ୱକଫ୍ ବୋର୍ଡ ଅଧୀନରେ ଥିବା ଜମି ଆବଂଟନରେ ବଡ ଧରଣର ସ୍କାମ୍ ହୋଇଥିଲା । ୱକଫ୍ ବୋର୍ଡ ଏକ ମୁସଲିମ୍ ଚାରିଟେବଲ୍ ଟ୍ରଷ୍ଟ୍ ଯାହା ଗରୀବ ମୁସଲମାନମାନଙ୍କୁ ସାହାଯ୍ୟ କରିଥାଏ । ତେବେ ଏକ ରିପୋର୍ଟରୁ ଜଣାପଡିଥିଲା ଯେ ପ୍ରାୟ ୫୦ପ୍ରତିଶତ ଜମି ଅସାଧୁ ଉପାୟରେ ସରକାରୀ କର୍ମଚାରୀ ହଡପ କରିନେଇଥିଲେ । ଏହି ଘୋଟାଲାରେ ପ୍ରାୟ ୧.୫ ରୁ ୨ ଲକ୍ଷ କୋଟି ପର୍ଯ୍ୟନ୍ତ କ୍ଷତି ହୋଇଥିଲା ।

କମନୱେଲଥ ଗେମ୍ ଘୋଟାଲା : ଭାରତ ଇତିହାସରେ ଏହାକୁ ଏକ ବଡ ଘୋଟାଲା ଭାବେ ହିସାବକୁ ନିଆଯାଏ । କମନୱେଲଥ ଗେମରେ ପ୍ରାୟ ୭୦ହଜାର କୋଟି ଲାଗିବାର ଥିଲା । କିନ୍ତୁ ମାତ୍ର ୫୦ ପ୍ରତିଶତ ହିଁ ଖେଳ ଏବଂ ଖେଳ ସମ୍ବନ୍ଧିତ ଗତିବିଧିରେ ଖର୍ଚ୍ଚ ହୋଇଥିଲା । କହିବାକୁ ଗଲେ ଏହାରି ମାଧ୍ୟମରେ ସିଧାସଳଖ ଲୁଟ୍ ହୋଇଥିଲା । ଯନ୍ତ୍ରାଂଶକୁ ପ୍ରକୃତ ମୂଲ୍ୟ ଠାରୁ ଦୁଇଗୁଣ ଅଧିକ ଦେଇ କିଣାଯାଇଥିଲା । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନେ ପ୍ରକୃତରେ ନଥିଲେ ସେମାନଙ୍କୁ ହିଁ ଏହି ଟଙ୍କା ଦିଆଯାଇଥିଲା ।

ତେଲଗୀ ଷ୍ଟାମ୍ପ୍ ଘୋଟାଲା : ଉପରୋକ୍ତ ସବୁ ଘୋଟାଲା ଠାରୁ ତେଲଗୀ ଘୋଟାଲା ଥିଲା ପୁରା ଅଲଗା । ଅବଦୁଲ୍ କରୀମ୍ ତେଲଗୀ ନାମକ ଜଣେ ବ୍ୟକ୍ତି ନକଲି ଟିକେଟ୍ ପେପର୍ କରିବାରେ ସିଦ୍ଧହସ୍ତ ଥିଲେ । ତେଲଗୀ ନକଲି ଷ୍ଟାମ୍ପ ପେପରକୁ ବ୍ୟାଙ୍କ ଏବଂ ଅନ୍ୟ କେତେକ ସଂସ୍ଥାକୁ ବିକ୍ରି କରିଥିଲେ । ତେଲଗୀର ନକଲି ଷ୍ଟାମ୍ପ ପେପର୍ ଭାରତର ପ୍ରାୟ ୧୨ଟି ରାଜ୍ୟରେ ପହଂଚିଯାଇଥିଲା । ଆକଳନ ଅନୁଯାୟୀ, ଏହି ନକଲି ଷ୍ଟାମ୍ପ ପେପର୍ ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ପ୍ରାୟ ୨୦ହଜାର କୋଟିର କ୍ଷତି ହୋଇଥିଲା ।

ସତ୍ୟମ୍ ସ୍କାମ୍ : ଭାରତର କର୍ପୋରେଟ୍ ଜଗତର ସବୁଠାରୁ ବଡ଼ ଘୋଟାଲା ଥିଲା ସତ୍ୟମ୍ ସ୍କାମ୍ । ଏଥିରେ ପ୍ରାୟ ୧୪ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା । ସତ୍ୟମର ଚେୟାରମ୍ୟାନ୍ ରାମାଲିଙ୍ଗା ରାଜୁ ଏନେଇ ସମସ୍ତଙ୍କୁ ଅନ୍ଧାରରେ ରଖିଥିଲେ । ସତ୍ୟମରେ ନିବେଶ କରିଥିବା ସମସ୍ତ ସେୟାର୍ ହୋଲଡରଙ୍କୁ ଏହି ଘୋଟାଲା ଦୋହଲାଇ ଦେଇଥିଲା । ପରେ ସତ୍ୟମ୍ କମ୍ପାନୀକୁ ଟେକ୍ ମହିନ୍ଦ୍ରା କିଣି ନେଇଥିଲା ।

ବୋଫର୍ସ ତୋପ ଘୋଟାଲା : ୧୯୮୦ ଏବଂ ୯୦ ଦଶକରେ ହୋଇଥିବା ଏହି ଘୋଟାଲା ଦେଶର ଅନ୍ୟତମ ବଡ ଘୋଟାଲା ଥିଲା । ସ୍ୱିଡେନର ବୋଫର୍ସ ଏବି କମ୍ପାନୀ ଭାରତରେ ୧୫୫ ଏମଏମ୍ ତୋପର ବ୍ୟବସାୟ ପାଇଁ ରାଜନେତାମାନଙ୍କୁ ଲାଂଚ ଦେଇଥିଲା । ଏହି ଘୋଟାଲାରେ ଲାଂଚ ହିସାବରେ କମ୍ପାନୀ ୧କୋଟି ୬୦ଲକ୍ଷ ଡଲାର୍ କଂଗ୍ରେସ୍ ନେତା ଏବଂ ରାଜୀବ ଗାନ୍ଧୀଙ୍କୁ ଦେଇଥିବାର ଅଭିଯୋଗ ରହିଛି ।

ଚାରା ଘୋଟାଲା : ୧୯୯୬ରେ ହୋଇଥିବା ଏହି ଚାରା ଘୋଟାଲାରେ ୯୦୦କୋଟିର କ୍ଷତି ହୋଇଥିଲା ଯାହା ସେ ସମୟରେ ସବୁଠାରୁ ବଡ ପରିମାଣ ଥିଲା । ଏହି ଘୋଟାଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଉପଯୁକ୍ତ ପ୍ରମାଣ ମିଳିବା ପରେ ଲାଲୁଙ୍କୁ ଜେଲ୍ ପଠାଇଦିଆଯାଇଥିଲା କିନ୍ତୁ ପରେ ସେ ଜାମିନରେ ମୁକୁଳିଥିଲେ । ଏବେ ବି ଏହି ମାମଲା ରାଂଚି ଅଦାଲତରେ ବିଚାରାଧୀନ ଅଛି ।

ହୱାଲା ସ୍କାଣ୍ଡଲ୍ : ନବେ ଦଶକର ଏହି ବଡ ସ୍କାମ ପୁରା ଦେଶବାସୀଙ୍କୁ ଆଚମ୍ବିତ କରିଥିଲା । କାରଣ ଯେଉଁମାନେ ସରକାର ଚଳାଉଥିଲେ ସେହିମାନେ ହିଁ ସିଧାସଳଖ ସଂପୃକ୍ତ ଥିଲେ ଏହି ସ୍କାଣ୍ଡାଲରେ । ଏହି ଘୋଟାଲା ୧୯୯୬ରେ ସାମ୍ନାକୁ ଆସିଥିଲା । ଅନେକ ନେତାଙ୍କ ବିରୋଧରେ ହୱାଲାର ଦଲାଲଙ୍କଠାରୁ ଲାଂଚ ନେଇଥିବାର ଅଭିଯୋଗ ଆସିଥିଲା । ଏପରିକି ଏଥି ସ୍କାମରେ ବିଜେପିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାଣୀଙ୍କ ନାଁ ବି ସାମିଲ୍ ଥିଲା । ଅବଶ୍ୟ ଆଡଭାଣୀ ସାଂସଦ ପଦରୁ ଇସ୍ତଫା ଦେବା ସହ ଏହି ସ୍କାମରେ ନିର୍ଦ୍ଦୋଶ ସାବ୍ୟସ୍ତ ନହେବା ଯାଏ ନିର୍ବାଚନ ଲଢିବେନି ବୋଲି କହିଥିଲେ ।

ଷ୍ଟକ୍ ମାର୍କେଟ୍ : ୪୦୦୦ କୋଟିର ଷ୍ଟକ୍ ମାର୍କେଟ୍ ଘୋଟାଲା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଯାହାକୁ ଭୁଲିବା କୌଣସି ବି ନିବେଶକଙ୍କ ପାଇଁ ଏକ ପ୍ରକାର ଅସମ୍ଭବ । ସେୟାର୍ ଦୁନିଆର ଦଲାଲ୍ ହର୍ଷଦ ମେହେତା ନିବେଶକଙ୍କ ସମସ୍ତ ଟଙ୍କାକୁ ବୁଡାଇଦେଇଥିଲା । ପୁଣି ଆଉ ଜଣେ ସେୟାର୍ ଦଲାଲ୍ ୧୨୦୦ କୋଟି ଏଫଡି ଏବଂ ମ୍ୟୁଚୁଆଲ୍ ଫଣ୍ଡ୍ ଟଙ୍କା ହଜମ କରିଦେଇଥିଲା । ସେହିପରି ଆଉ ଜଣେ ଦଲାଲ୍ କେତନ୍ ପାରେଖ୍ ପାଇଁ ସର୍କୁଲାର୍ ଟ୍ରେଡିଙ୍ଗର ୯୦୦ କୋଟି କ୍ଷତି ହୋଇଥିଲା ।