ସମାଜସେବୀଙ୍କୁ ଗଣଦୁଷ୍କର୍ମ ! ଯେ ସମାଜର ମଙ୍ଗଳ ପାଇଁ କାମ କଲେ ତାଙ୍କୁ ଦୁଷ୍କର୍ମର ପୁରଷ୍କାର ଦେଲେ ଦୁର୍ବୃତ୍ତ । 

45

ଝାଡ଼ଖଣ୍ଡରେ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରୁଥିବା ୫ ଜଣ ମହିଳା ସମାଜ ସେବୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହାକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ।

ମିଳିଥିବା ସୂଚନା ମୁତାବକ ଖୁଣ୍ଟି ଜିଲ୍ଲାରେ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସ୍ୱେଚ୍ଛାସେବୀ ସଂଗଠନ ଅଭିଯାନ ଚଳାଇଛି। ଏହି ସଂସ୍ଥାର ୫ ଜଣ ମହିଳାଙ୍କ ସମେତ ୧୧ ଜଣ କର୍ମୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରୁଛନ୍ତି। ଗତ ୧୯ ତାରିଖରେ ସେମାନେ ସମାଜିକ ସଚେତନତା ପାଇଁ ଏକ ପଥପ୍ରାନ୍ତ ନାଟକ କାର୍ୟ୍ୟକ୍ରମ ଚଳାଇଥିବା ବେଳେ ଦୁଇଟି କାରରେ ୬/୭ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ। କର୍ମୀମାନଙ୍କୁ ସେମାନେ ଏକ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ।

୫ ଜଣ ପୁରୁଷ କର୍ମୀଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରି କାର ଭିତରେ ବନ୍ଦ କରିଦେଇଥିଲେ। ଏହାପରେ ସେମାନେ ୫ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। କାହା ଆଗରେ ପ୍ରକାଶ କଲେ ଭିଡିଓକୁ ଭାଇରାଲ କରାଯିବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଥିଲେ। ସେମାନେ ଜଙ୍ଗଲ ଭିତରେ ୪ ଘଣ୍ଟା ରଖି ଏଭଳି ନିର୍ୟାତନା ଦେଇ ଚାଲିଥିଲେ। ଘରକୁ ଫେରିବା ପରେ ସେମାନେ ଏହି ସଂପର୍କରେ ପୋଲିସକୁ ଜଣାଇଥିଲେ। ପୁଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ଆଜି ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ତେବେ କାହାରିକୁ ଗିରଫ କରାଯାଇ ନାହିଁ। ଏହି ଅଂଚଳରେ ମାନବ ଚାଲାଣ ର୍ୟାକେଟ୍ ଚଳାଇଥିବା ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।