ଦୁଃଖ ଦେଇଗଲା ୩୬ ଘଣ୍ଟାର ନିଆଁ । ପୁରୀ ସମ୍ରାଟ୍ ମାର୍କେଟ କମ୍ପ୍ଲେକ୍ସ ନିଆଁ ଉଜାଡ଼ି ଦେଲା ରୋଜଗାର । ବ୍ୟବସାୟୀଙ୍କ ଆଖିରେ ଲୁହ

102

କନକ ବ୍ୟୁରୋ: ଅଘଟଣର ଅଗ୍ନିକାଣ୍ଡ ସିନା ଟଳି ଯାଇଛି, କିନ୍ତୁ ସାଥିରେ ନେଇ ଆସିଥିବା ସଙ୍କଟ ଏବେ ବି ଜଳଜଳ ହୋଇ ଦେଖାଯାଉଛି । ଯାହା କିଛି ଥିଲା, ଜଳିପୋଡ଼ି ଛାରଖାର୍ ହୋଇଯାଇଛି । ଜୀବିକା ଦେଉଥିବା ଦୋକାନ ଏବଂ ବଞ୍ଚିବାର ସୁଯୋଗ ଆଣିଥିବା ବ୍ୟବସାୟ, ଯେତେବେଳେ ଆଖି ଆଗରେ ଉଜୁଡ଼ି ଯାଇଛି, ଏହାକୁ ଦେଖି ଅଚାନକ୍ ଅଚେତ୍ ହୋଇପଡ଼ିଛନ୍ତି ପୂର୍ଣ୍ଣିମା ମହାନ୍ତି । ପୂର୍ଣ୍ଣିମା, ସମ୍ରାଟ୍ ମାର୍କେଟରେ ପାର୍ଲରଟିଏ କରିଥିଲେ । ୧୦ ଲକ୍ଷ ଟଙ୍କାର ନିବେଶ କରି, ୪ ଜଣଙ୍କୁ ନିଯୁକ୍ତ ବି ଦେଇଥିଲେ ।

କେବଳ ପୂର୍ଣ୍ଣିମା କାହିଁକି, ଏହି ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନ କରିଥିବା ୪୩ ଜଣ ବ୍ୟବସାୟୀଙ୍କ ମୁଣ୍ଡ ଉପରେ ପଡ଼ିଛି ଅଗ୍ନିକାଣ୍ଡର ଚଡ଼କ । କିଏ ଲକ୍ଷ ଲକ୍ଷ ଟଙ୍କାର ଲୋନ୍ କରି ଦୋକାନ କରିଥିଲେ ତ’ ଆଉ କିଏ ଟଙ୍କା ଯୋଗାଡ଼ କରି ଜୁଏଲାରୀ ଦୋକାନ କରିଥିଲେ । ହେଲେ ଅଗ୍ନିକାଣ୍ଡ ଯୋଗୁଁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଛି ।

ଦୀର୍ଘ ୩୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲକ୍ଷ୍ମୀବଜାରରେ ଥିବା କମ୍ପ୍ଲେକ୍ସର ନିଆଁକୁ ଆୟତ୍ତ କରାଯାଇଛି । ଓଡ଼ିଶା ଇତିହାସରେ ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ନିଆଁ ଲିଭା ଅପରେସନରେ ସାମିଲ୍ ହୋଇଥିଲେ- ୧୨ଟି ଦମକଳ ଗାଡ଼ି, ୨ଟି ଓଡ୍ରାଫ୍ ଟିମ୍, ୧୬୦ ଜଣ ଅଗ୍ନିଶମ କର୍ମଚାରୀ, ଗୋଟିଏ ଷ୍ଟ୍ରାଇକର ଟିମ୍ ଏବଂ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ ୨ ପ୍ଲାଟୁନ ଫୋର୍ସ ।

ତେବେ ନିଆଁ ଲଭାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । କାରଣ, ମାର୍କେଟ୍ କମ୍ପ୍ଲେକ୍ସର ତିନି ପଟରେ ପାଚେରୀ ରହିଛି । ସାମ୍ନାରେ ଥିବା ଦୋକାନ ଗୁଡିକର ସଟର ପଡ଼ିଥିଲା । ଦୋକାନ ମାଲିକ ଦୋକାନରେ ତାଲା ପକାଇଦେଇଥିଲେ । ଦୋକାନ ସଟର ଖୋଲିବା କଷ୍ଟକର ଥିଲା । ଦୋକାନୀ ସଟର ଖୋଲିବା ପାଇଁ ଆସିନଥିଲେ । ଦୋକାନରେ ଥିବା ସାମଗ୍ରୀ ଜଳିବାରେ ଲାଗିଥିଲା । ପ୍ଲାଷ୍ଟିକ୍, ଜୋତା ଓ କପଡା ସାମଗ୍ରୀ ଥିବାରୁ ଅଧିକ ଜଳିଥିଲା । ଅଣଓସାରିଆ ପ୍ରବେଶ ପଥ ବାଧକ ହୋଇଥିଲା । ଏଭଳି ସ୍ଥିତିରେ ନିଆଁକୁ ଆୟତ୍ତ କରିବା ବଡ଼ ଚ୍ୟାଲେଞ୍ଜ ଥିଲା ।

ଅନ୍ୟପଟେ ପୁରୀ ସହରର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ମାନବାଧିକାର କମିଶନ ନିକଟରେ ଫେରାଦ୍ ହୋଇଛି, ପୁରୀ ନାଗରିକ ମଞ୍ଚ । ଯେଉଁଥିରେ ଦର୍ଶାଯାଇଛି, ପୁରୀ ସହରର ୫ଶହ ହୋଟେଲ, ୧୬ଟି ମାର୍କେଟ୍ କମ୍ପ୍ଲେକ୍ସ , ୪ଟି ଧର୍ମଶାଳା ଏବଂ ଅନେକ ଲଜରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ତେବେ ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସ ଘଟଣା ମନକୁ ଯାଇନଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଆଉ ଏକ ଅଗ୍ନିକାଣ୍ଡର ଖବର ଆସି ପହଞ୍ଚିଛି । ଯାହା ପୁରୀର ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ଚିନ୍ତା ବଢ଼ାଇଦେଇଛି ।