ଜିଏସଟି ବୈଠକ : କ’ଣ ଶସ୍ତା, କ’ଣ ମହଙ୍ଗା ? କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

213

କନକ ବ୍ୟୁରୋ : ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଉପରେ ଏଣିକି ୨୮ ପ୍ରତିଶତ ଜିଏସଟି ଲାଗିବ । ଜିଏସଟି କାଉନସିଲର ୫୦ ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜିଏସଟି ଆଇନର ସଂଶୋଧନ ପରେ ଏହି ନିୟମ ଲାଗୁ ହେବ । ବିଦେଶରୁ ଆମଦାନୀ ହେଉଥିବା ଦାମୀ କ୍ୟାନସର ଔଷଧ ଉପରେ ଲାଗିବନି କୌଣସି ଜିଏସଟି ଲାଗିବ ନାହିଁ । ବର୍ତ୍ତମାନ ଏହା ଉପରେ ୧୨ ପ୍ରତିଶତ ଆଇଜିଏସଟି ଲାଗୁ ହେଉଥିଲା । ଆଉ ଏହା ଉପରୁ କୌଣସି ଟ୍ୟାକ୍ସ ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛି ଜିଏସଟି କାଉନସିଲ ।

ଏହି ଔଷଧର ଗୋଟିଏ ଡୋଜ ଲକ୍ଷାଧିକ ଟଙ୍କା ପଡୁଥିଲା । ଏହା ଛଡା ଜିଏସଟି ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଜିଏସଟି କାଉନସିଲ ମଞ୍ଜୁରୀ ଦେଇଛି । ଏହାଦ୍ୱାରା କରଦାତାଙ୍କୁ ବଡ ଆଶ୍ୱସ୍ତି ମିଳିବ । ଜିଏସଟି ସମ୍ପର୍କିତ ବିବାଦକୁ ଏଠାରେ ସହଜରେ ସମାଧାନ କରାଯାଇପାରିବ । ମହାରାଷ୍ଟ୍ରରେ ୭ଟି ଓ ପଶ୍ଚିମବଙ୍ଗରେ ୨ଟି ଜିଏସଟି ଟ୍ରିବ୍ୟୁନାଲ ଗଠନ ହେବ । ସେହିଭଳି ସିନେମା ହଲରେ ଖାଇବା ପିଇବା ବି ଶସ୍ତା ହେବ । ସିନେମା ହଲରେ ଥିବା ରେଷ୍ଟୁରାଂଟରେ ଖାଇଲେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏ ବାବଦରେ ନିଷ୍ପତ୍ତି ନେଇଛି ଜିଏସଟି କାଉନସିଲ ।