ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଜାପାନ ଦେଖିଲା ୨୦୧୯ ବର୍ଷ ପ୍ରଥମ ସୂର୍ଯ୍ୟ ପରାଗର ଅପୂର୍ବ ଦୃଶ୍ୟ ।

ଆଜି ଭାରତୀୟ ସମୟ ସକାଳ ୫ଟା ୪ମିନିଟ୍ ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଦେଇଥିଲା ।

423

କନକ ବ୍ୟୁରୋ: ୨୦୧୯ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଘଟିଛି । ଆଜି ଭାରତୀୟ ସମୟ ସକାଳ ୫ଟା ୪ମିନିଟ୍ ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଦେଇଥିଲା । ବର୍ଷ ଆରମ୍ଭରେ ପ୍ରଥମ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଏହି ସୂର୍ଯ୍ୟ ପରାଗ ଆଂଶିକ ପରାଗ ଭାବେ ଗଣନା କରାଯାଉଛି । ଏବଂ ଏହା ଭାରତକୁ ଦୃଶ୍ୟାମାନ ନ ହୋଇ ଏସିଆ ମହାଦେଶର ଉତ୍ତର ପୂର୍ବ ଓ ଉତ୍ତର ଆଣ୍ଟାର୍ଟିକର କିଛି ଅଞ୍ଚଳକୁ ଆଂଶିକ ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଜାପାନବାସୀ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗର ସାକ୍ଷୀ ପାଲଟିଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ ୩ଟି ସୂର୍ଯ୍ୟ ପରାଗ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ଆସନ୍ତା ଜୁଲାଇ ୨ ତାରିଖରେ ଚଳତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ । ଏବଂ ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଘଟିବ କିନ୍ତୁ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ । ସେହିଭଳି ୨୦୧୯ର ତୃତୀୟ ତଥା ଶେଷ ସୂର୍ଯ୍ୟ ପରାଗଟି ବର୍ଷ ଶେଷ ଡିସେମ୍ବର ୨୬ ତାରିଖରେ ସଂଗଠିତ ହେବ ଓ ତାହା ବଳୟାତ ସୂର୍ଯ୍ୟ ପରାଗ ହେବ । ଏହା ଭାରତର ପ୍ରାୟ ସମସ୍ତ ସ୍ଥାନକୁ ଆଂଶିକ ଦୃଶ୍ୟମାନ ହୋଇ କେରଳର ଆଖ ପାଖ ଅଞ୍ଚଳକୁ ବଳୟାତ ଭାବେ ଦେଖାଯିବ । ଏହା ଏକ ଅପୂର୍ବ ଦୃଶ୍ୟ ବୋଲି ଡକ୍ଟର ଶୁଭେନ୍ଦୁ କହିଛନ୍ତି ।

ଅନ୍ୟପେଟ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆସନ୍ତା ୨୧ ତାରିଖରେ ହେବ । କିନ୍ତୁ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ । ଏହାପରେ ଆସନ୍ତା ଜୁଲାଇ ୧୬ ତାରିଖରେ ୨୦୧୯ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏହା ଆଂଶିକ ଭାବେ ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।