ଓମିକ୍ରନକୁ ମାତ୍ ଦେବ ସ୍ୱଦେଶୀ ବଟିକା । କରୋନା ଲଢେଇରେ ‘ସିପ୍ଲା’ ସାମିଲ୍

137

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଦେଶର ଦୁଇ ପ୍ରମୁଖ ଟିକା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ ସାମିଲ ହୋଇଥିଲା । ଏବେ ଦେଶର ଜଣାଶୁଣା ଔଷଧ ନିର୍ମାତା କମ୍ପାନୀ ସିପ୍ଲା ମୋଲନୁପିରାଭିର ବଟିକା ବାହାର କରି ଏହି ଲଢେଇରେ ସାମିଲ ହୋଇଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ କେନ୍ଦ୍ର ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ମୋଲନୁପିରାଭିର ଏବଂ ଦୁଇ ଟିକାକୁ ଅନୁମତି ଦେଇଛନ୍ତି । ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ବ୍ୟବହାର ହେବାକୁ ଥିବା ଏହି ବଟିକା କରୋନାର ଜଟିଳତାରୁ ସୁରକ୍ଷା ଦେବ । ମୋଲନୁପିରାଭିରକୁ ତିଆରି କରିବାକୁ ଦେଶର ୧୩ଟି ଔଷଧ କମ୍ପାନୀକୁ ଅନୁମତି ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

କରୋନା ରୋଗୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରିନଥିଲା । ଏବେ କିନ୍ତୁ ମୋଲନୁପିରାଭିର କରୋନା ଲଢେଇରେ ଗୋଟିଏ ବଡ ଗେମଚେଞ୍ଜର ହେବ ବୋଲି କୁହାଯାଉଛି । କାରଣ ଅନେକ ସଂକ୍ରମିତ ହୋଇ ନେଗେଟିଭ୍ ହେବା ପରେ କରୋନାର ଜଟିଳତାର ଶିକାର ହେଉଛନ୍ତି । ଆଉ ଏହି ଜଟିଳତାକୁ ରୋକିବାରେ ମୋଲନୁପିରାଭିର ସହାୟକ ହେବ ବୋଲି ଗବେଷଣାରୁ ଜଣାପଡିଛି ।

କେନ୍ଦ୍ର ସରକାର କୋର୍ବେଭାକ୍ସ ଓ କୋଭୋଭାକ୍ସ ନାମକ ଦୁଇଟି କରୋନା ଟିକାକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଦ୍ୱିତୀୟ ସ୍ୱଦେଶୀ ଟିକା ଭାବେ କୋର୍ବେଭାକ୍ସକୁ ପ୍ରସ୍ତୁତ କରିଛି ବାୟୋଲୋଜିକଲ-ଇ କମ୍ପାନୀ । ଏହା ଆରବିଡି ପ୍ରୋଟିନ୍ ଦ୍ୱାରା ତିଆରି ହୋଇଛି । ଜଣଙ୍କୁ ଏହି ଟିକାର ୩ଟି ଡୋଜ୍ ନେବାକୁ ହେବ । ଭାରତ ସରକାର ଏହି ଟିକା ପାଇଁ ୧୫ଶହ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିସାରିଛନ୍ତି । ସେହିପରି ଆମେରିକା କମ୍ପାନି ନୋଭାଭାକ୍ସ ଭାରତରେ ସିରମ ଇନଷ୍ଟିଚ୍ୟୁଟ ସହ ମିଶି କୋଭୋଭାକ୍ସ ଟିକାର ଉତ୍ପାଦନ କରିବ ।

କେନ୍ଦ୍ର ସରକାର ଏହା ପୂର୍ବରୁ କୋଭାକ୍ସିନ, କୋଭିଶିଲ୍ଡ, ସ୍ପୁଟନିକ ଭି, ଜନସନ ଆଣ୍ଡ ଜନସନ, ମୋର୍ଡେନା, ଜାୟକଭ-ଡି ଆଦି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇସାରିଛି ।