ଅଜିତଙ୍କୁ ସମର୍ଥନ ଦେଇଥିବା ୨ ବିଧାୟକ ଏବେ ଶରଦଙ୍କ କ୍ୟାମ୍ପରେ । କହିଲେ, ଜାଣିନଥିଲୁ କାହିଁକି ନିଆଯାଉଥିଲା ଦସ୍ତଖତ?

443

କନକ ବ୍ୟୁରୋ : ସମୟ ଯେତେ ଗଡୁଛି, ମହାରାଷ୍ଟ୍ର ରାଜନୀତି ସେତେ ଉଷ୍ମ ହେଉଛି । ଆଜି ଉଭୟ ଶରଦ ଓ ଅଜିତ ନିଜର ପାୱାର ଦେଖାଇବେ । ଯେଉଁଥିପାଇଁ ନିଜ ସମର୍ଥକଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ଉଭୟ ନେତା । କିନ୍ତୁ ଏହା ଭିତରେ ଅଜିତଙ୍କ ଶପଥଗ୍ରହଣରେ ସାମିଲ ଥିବା ଦୁଇ ବିଧାୟକ ପଟ୍ଟ ପରିବର୍ତ୍ତନ କରି ଶରଦଙ୍କ କ୍ୟାମ୍ପରେ ପହଞ୍ଚିଛନ୍ତି । ଏହି ଦୁଇ ବିଧାୟକ କହିଛନ୍ତି, ଆମକୁ ଜଣାନଥିଲା ଯେ କେଉଁ କାଗଜରେ ଆମ ଠାରୁ ଦସ୍ତଖତ ନେଉଛନ୍ତି । କିନ୍ତୁ ଏବେ ଆମେ ଶରଦ ପାୱାରଙ୍କ ସାଥୀରେ ଅଛୁ । କେବଳ ଏତିକି ଉଭୟ କ୍ୟାମ୍ପକୁ ଆସୁଥିବା ନେତା ଓ ବିଧାୟକଙ୍କର ସମର୍ଥନ ଥିବା ନେଇ ଦସ୍ତଖତ କରାଯାଉଥିବା ଦେଖିବାକୁ ମିଳିଛି ।

ଏସବୁ ଭିତରେ ଅଜିତଙ୍କ କ୍ୟାମ୍ପରେ ଥିବା ଛଗନ ଭୁଜବଳ କହିଛନ୍ତି, ନିଷ୍ପତ୍ତି ଗୋଟିଏ ଦିନରେ ନିଆଯାଏନାହିଁ । ଦଳ ପାଇଁ ଯାହା ଭଲ ତାହା ହୋଇଛି । ଆମେ ଏନସିପିକୁ କ୍ଷମତାକୁ ଆଣି ଶରଦ ପାୱାରଙ୍କୁ ଗୁରୁଦକ୍ଷିଣା ଦେଇଛୁ । ତାଙ୍କର ପୁତୁରାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିଛୁ । ଯଦି ଶରଦ ପାୱାର ୬୦ ବର୍ଷ ହେବ ରାଜନୀତିରେ ଅଛନ୍ତି ତେବେ ଆମେ ମଧ୍ୟ ୫୬ ବର୍ଷ ହେବ ରାଜନୀତିରେ ଅଛୁ ।

ଗୋଟିଏ ପଟେ ଅଜିତ ଓ ଶରଦ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ସିନ୍ଦେ ଗୋଷ୍ଠୀରେ ମଧ୍ୟ ମତାନ୍ତର ଦେଖିବାକୁ ମିଳିଛି । ଶିବସେନାର ସିନ୍ଦେ ଗୋଷ୍ଠୀର ନେତା ସଞ୍ଜୟ ସିରସାଟ୍ କହିଛନ୍ତି, ରାଜନୀତିରେ ଯେତେବେଳେ ଆମର ପ୍ରତିଦ୍ୱନ୍ଦ୍ୱୀ ଆମ ସହ ସାମିଲ ହେବାକୁ ଚାହାନ୍ତି ସେତେବେଳେ ତାଙ୍କୁ ସାମିଲ କରିବାକୁ ପଡିଥାଏ, ବିଜେପି ମଧ୍ୟ ତାହା କରିଲା । କିନ୍ତୁ ଏନସିପିକୁ ସରକାରରେ ସାମିଲ କରିବା ଦ୍ୱାରା ଆମ ଦଳ ଭିତରେ ନେତା ନାରାଜ ଅଛନ୍ତି । କାରଣ ଏନସିପି ନେତା ସରକାରରେ ସାମିଲ ହେବା ଦ୍ୱାରା ଆମର କିଛି ନେତାଙ୍କୁ ମନ ମୁତାବକ ପଦବୀ ମିଳିବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ସାରିଛୁ, ସେମାନଙ୍କୁ ଏହାର ସମାଧାନ କରିବାକୁ ପଡିବ ।

ସଞ୍ଜୟ କହିଛନ୍ତି, ଆମେ ସବୁବେଳେ ଏନସିପି ଓ ଶରଦ ପାୱାରଙ୍କୁ ବିରୋଧ କରି ଆସିଛୁ । ଉଦ୍ଧବ ଠାକରେଙ୍କୁ ଶରଦ ପାୱାର ମୋହରା କରି ସରକାର ଚଳାଉଥିଲେ । ଆମେ ପୂର୍ବରୁ ମଧ୍ୟ ଉଦ୍ଧବ ଠାକରେଙ୍କୁ କହିଥିଲୁ କି, ଏନସିପିର ହାତ ଛାଡିଦିଅନ୍ତୁ ବୋଲି । କିନ୍ତୁ ସେତେବେଳେ ସେମିତି ହୋଇନଥିଲା । ଏସବୁ ଭିତରେ ଅଜିତଙ୍କ ଗୋଷ୍ଠୀର ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ସମସ୍ତ ବିଧାୟକ ଆମ ସହ ଅଛନ୍ତି । ବୈଠକ ପରେ ଏନେଇ ଆଲୋଚନା କରିବି ।