ନଳକୂପ ଗାତରେ ଗଳିପଡିଲା ନାବାଳକ, ୧୫ ଘଂଟା ଧରି ଚାଲିଛି ଉଦ୍ଧାର

180

କନକ ବ୍ୟୁରୋ : ଚତିଶଗଡର ଜାଞ୍ଜଗୀର-ଚମ୍ପା ଜିଲ୍ଲାରେ ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି । ପିହାରିଦ ଗାଁରେ ଖୁଲାପଡିଥିବା ଏକ ନଳକୂପ ଗାତ ଭିତରେ ଜଣେ ୧୦ ବର୍ଷର ନାବାଳକ ଖସିପଡିଛି । ଏହି ଘଟଣାର ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଗତ ୧୫ ଘଂଟା ଧରି ପିଲାଟିକୁ ଗାତ ଭିତରୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ।

ସୂଚନା ମୁତାବକ ଗାତ ଗଳିପଡିଥିବା ନାବାଳକ ରାହୁଲ ସାହୁ ନିଜ ବାରିପଟେ ଖେଳୁଥିବା ବେଳେ ଏହି ଖୁଲାପଡିଥିବା ନଳକୂପ ଗାତ ଭିତରକୁ ଖସିପଡିଥିଲା । ଏନେଇ ଜଣାପଡିବା ପରେ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ । ସୂଚନା ପାଇ ଜିଲ୍ଲା ପ୍ରଶାସନ ଏନଡିଆରଏଫ ଟିମକୁ ସାଥିରେ ଧରି ସେଠାରେ ପହଂଚିଥିଲା । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଏପର୍ଯ୍ୟନ୍ତ ନଳକୂପ ଗାତରୁ ରାହୁଲକୁ ଉଦ୍ଧାର କରିବାକୁ ସକ୍ଷମ ହୋଇନାହିଁ ଉଦ୍ଧାରକାରୀ ଦଳ ।

ସେପଟେ ଘଟଣା ବାବଦରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେବି ଘଟଣା ଉପରେ ନଜର ରଖିଛନ୍ତି । ସେପଟେ ଉଦ୍ଧାରକାରୀ ଦଳ ପାଇପ ମାଧ୍ୟମରେ ରାହୁଲଙ୍କୁ ଲଗାତର ଅକ୍ସିଜେନ ଯୋଗାଉଛନ୍ତି । ଏହାସହ ଗାତ ଭିତରକୁ କ୍ୟାମେରା ପଠାଇ ରାହୁଲଙ୍କ ଗତିବିଧି ଉପରେ ଉଦ୍ଧାରକାରୀ ଦଳ ନଜର ରଖିଥିବା କୁହାଯାଉଛି । କେବଳ ସେତିକି ନୁହେଁ ଦଉଡି ସହାୟତାରେ ରାହୁଲ ପାଖକୁ ଖାଦ୍ୟ ଓ ପାଣି ପଠାଯାଉଛି ଓ ସେ ତାହାକୁ ଖାଉଛି ବୋଲି କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ବଘଲେ ଏହି ଘଟଣାକୁ ନେଇ ଟ୍ୱିଟ କରିଛନ୍ତି । ରାହୁଲକୁ ନଳକୂପ ଗାତ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।