ତାଳଚେରରେ ଏମସିଏଲ ରେଳପଥ ନିର୍ମାଣ କାମକୁ ବିରୋଧ। ପିଲାଛୁଆଙ୍କୁ ଧରି ଧାରଣାରେ ବସିଛନ୍ତି ମହିଳା-ପୁରୁଷ।

45

କନକ ବ୍ୟୁରୋ: ଏମସିଏଲ ରେଳପଥ ଯୋଗୁଁ ଚାଷ ଅନୁପଯୋଗୀ ହୋଇପଡିଛି ଚାଷ ଜମି । କୋଇଲା ଲୋଡିଂ, ଅନଲୋଡିଂ ଯୋଗୁଁ କଳାଗୁଣ୍ଡ ଉଡି ପ୍ରଦୂଷଣମାତ୍ର ବଢିଯିବ । ଫଳରେ ଗାଁରେ ରହିବା କଷ୍ଟକର ହୋଇପଡିବ । ତେଣୁ ରେଳପଥ ନିର୍ମାଣସ୍ଥଳରେ ଧାରଣାରେ ବସିଛନ୍ତି ଅନୁଗୁଳ ଜିଲ୍ଲା ନତଡା ଗ୍ରାମବାସୀ । ବିଭିନ୍ନ ଦାବିକୁ ନେଇ ଧାରଣାରେ ବସିଛନ୍ତି ଶହଶହ ମହିଳା, ବୃଦ୍ଧା ଓ ଛାତ୍ରଛାତ୍ରୀ । ତାଳଚେର ଅଂଚଳରେ ମାଟି ତଳେ କୋଇଲା ସନ୍ଧାନ ପାଇଁ ଜମି ଅଧିଗ୍ରହଣ କରୁଛି ଏମସିଏଲ । ଅନ୍ୟପଟେ ରେଲୱେ ବିଭାଗ ମଧ୍ୟ ଜମି ଅଧିଗ୍ରହଣ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ।

୧୪ଶହ ୨୯ ଏକର ଜମିରୁ ନତଡା ଗାଁରୁ ୧୬୪ ଏକର ଜମି ଏମସିଏଲ ଅଧିଗ୍ରହଣ କରିଥିବା ବେଳେ ରେଳ ବିଭାଗ ୩୬ ଏକର ଜମି ଅଧିଗ୍ରହଣ କରିଛି । ଏମସିଏଲ୍ ଓ ରେଳ ବିଭାଗର କାର୍ଯ୍ୟକ୍ରମ ଭିତରେ ପେଶି ହେଉଛନ୍ତି ଗ୍ରାମବାସୀ । ଚାଷ ଜମି ନଷ୍ଟ ହେଉଛି । କୋଇଲା ଗୁଣ୍ଡରେ ପରିବେଶ ପ୍ରଦ୍ୟୁଷିତ ହେଉଛି । ଫଳରେ ଜୀବନ ଜୀବିକା ପ୍ରଭାବିତ ହେଉଛି । ନତଡା ଗାଁର ସମସ୍ୟା ସମାଧାନ କରିବା ପାଇଁ ବାରମ୍ବାର ଦାବି ହେଉଛି । ଗ୍ରାମବାସୀଙ୍କୁ ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରାଯାଉ । ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ।

ଜମି ଓ ବାସହରାଉଥିବା ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯାଉ । ଗ୍ରାମବାସୀ ଏମିତି ଦାବି ନେଇ ଧାରଣାରେ ବସିଥିବା ବେଳେ ଏମସିଏଲ କର୍ତ୍ତୃପକ୍ଷ, ରେଲୱେ କର୍ତ୍ତୃପକ୍ଷ କି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଲୋକେ ଧାରଣାରେ ବସିଥିଲେ ବି କାମ ଜାରିରହିଛି । ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।