ପୁଲିସକୁ ମାସିକିଆ ବଟି ଦେଉଛନ୍ତି ମଦ ବେପାରୀ। ଅବକାରୀ କମିସନରଙ୍କୁ ଚିଠି ଲେଖିଲେ ଇନସ୍ପେକ୍ଟର ସଂଜୟ ପଣ୍ଡା ।

80

କନକ ବ୍ୟୁରୋ: ପୁଲିସକୁ ଟଙ୍କା ଦେଉଛନ୍ତି ମଦ ବେପାରୀ । ଏଭଳି ଅଭିଯୋଗ ଆଣିଛନ୍ତି ଅବକାରୀ ଇନ୍ସପେକ୍ଟର । ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କ ଖୋଲା ଚିଠି, ଉଭୟ ପୁଲିସ ଓ ଅବକାରୀ ବିଭାଗକୁ ହୁଲୁସ୍ତୁଲ କରିଦେଇଛି । ଅବକାରୀ କମିସନର ଆଶିଷ ସିଂହଙ୍କୁ ଏହି ଚିଠି ଲେଖିଛନ୍ତି ପୁରୀ ଜିଲ୍ଲା ଅବକାରୀ ନିରୀକ୍ଷକ ସଞ୍ଜୟ ପଣ୍ଡା । ଚିଠିରେ ଏମିତି କିଛି ଭିତିରି କଥା ଲେଖାଯାଇଛି, ତାହା ପୂରା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ଅବକାରୀ କମିସନରକଙ୍କୁ ଚିଠି ଲେଖି ସଂଜୟ ପଣ୍ଡା କହିଛନ୍ତି –
ମଦ ମାଫିଆଙ୍କ ଠାରୁ ମୋଟା ଆକାରରେ ବଟି ନେଉଛି ପୁଲିସ
ଥାନା କର୍ମଚାରୀଙ୍କୁ ଦେଉଛନ୍ତି ମାସିକିଆ ବଟି
ଅବକାରୀ ଅଧିକାରୀଙ୍କୁ ଖାତିର କରୁନାହାନ୍ତି ମାଫିଆ
ସ୍ୱଳ୍ପ କର୍ମଚାରୀ, ବିନା ଗାଡ଼ିରେ ବେଆଇନ କାରବାର ରୋକିବା ମୁସ୍କିଲ
ପୁଲିସକୁ ଜଣାଇଲେ ସୂଚନା ପାଇ ଯାଉଛନ୍ତି ମାଫିଆ

ଏହି ଚିଠିକୁ ପୁରୀ ଜିଲ୍ଲାପାଳ, ପୁରୀ ପୋଲିସ ଏସ୍ପି, ପୁରୀ ଅବକାରୀ ଏସ୍ପିଙ୍କୁ ମଧ୍ୟ ପଠାଇଛନ୍ତି ସଞ୍ଜୟ ପଣ୍ଡା । ସେ ଲେଖିଛନ୍ତି, ପୁରୀ ଜିଲ୍ଲାରେ ଗଲା ବର୍ଷେ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି, ସେମାନେ ପୋଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି । ଅବକାରୀ ଅଧିକାରୀଙ୍କୁ ଖାତିର କରୁନାହାନ୍ତି ମଦ, ଗଞ୍ଜେଇ ଓ ଡ୍ରଗ୍ସ ବେପାରୀ । ବଟି କାରବାର ଯୋଗୁଁ ଅଳ୍ପ ସଂଖ୍ୟକ ମାମଲା ଠାବ କରୁଛି ପୁଲିସ । ଏହା ସହ ପୁଲିସ ଠାରୁ ‘ଅବକାରୀ’ କ୍ଷମତା ହଟାଇବାକୁ ସେ ଦାବି କରିଛନ୍ତି ।

ସଞ୍ଜୟ ପଣ୍ଡାଙ୍କ ଅଭିଯୋଗ ହଟଚମଟ ସୃଷ୍ଟି କରିଥିବା ବେଳେ ପୁରୀ ଅବକାରୀ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନା କହିଛନ୍ତି, ତାଙ୍କୁ କୌଣସି ଅଭିଯୋଗ ଜଣାଇନାହାନ୍ତି ଅବକାରୀ ନିରୀକ୍ଷକ । ବିଭାଗର ଜଣେ ଦାୟିତ୍ୱବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡି, ବିନା କ୍ୱାର୍ଟର ଓ ବିନା ମେଡାଲରେ ହତୋତ୍ସାହିତ ଅନୁଭବ କରୁଥିବା ଚିଠିରେ ଲେଖିଛନ୍ତି ଅବକାରୀ ନିରୀକ୍ଷକ । ତେଣୁ ଅବକାରୀ ଅଧିକାରୀଙ୍କୁ ସମ୍ମାନ ଓ ପୁଲିସ କର୍ମଚାରୀଙ୍କ ଅସାଧୁ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କମିସନରଙ୍କୁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ।