ଉତ୍ତରରୁ ପଶ୍ଚିମ । କାହିଁକି ବିଜେପି ଛାଡୁଛନ୍ତି ପୁରୁଣା ନେତା, ସୁବାସ ଓ ରାଜକିଶୋର କହିଲେ ଅକୁହା କଥା ?

242

କନକ ବ୍ୟୁରୋ : କାହିଁକି ବିଜେପି ଛାଡୁଛନ୍ତି ପୁରୁଣା ନେତା । ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟ ବିଜେପିର ଦୁଇ ଟାଣୁଆ ନେତା ଦଳରୁ ଇସ୍ତଫା ଦେଇଥିବା ବେଳେ ଏହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଉଭୟ ନେତା ଗୋଟିଏ କାରଣ ପାଇଁ ବିଜେପିକୁ ବାଏ ବାଏ କରିଥିବା ବେଳେ ଏବେ ବିଜେଡି କ୍ୟାମ୍ପରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପିରେ ଏକଚାଟିଆ ଔରଙ୍ଗଜେବ ଶାସନ ଚାଲୁଥିବା କହି ଦଳରୁ ଦୁଇ ପୁରୁଖା ନେତା ଇସ୍ତଫା ଦେଇଛନ୍ତି । ଏପରିକି ବିଜେପିରେ କର୍ମୀ ମାନଙ୍କୁ ଅତ୍ୟାଚାର ଓ ଅଣଦେଖା କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦଳ ଛାଡିଥିବା ଦୁଇ ନେତା । ତାହା ବି ପୁଣି ରାଜ୍ୟ ବିଜେପିର କ୍ଷମତାକେନ୍ଦ୍ରଙ୍କ ବିରୋଧରେ ।

ପଶ୍ଚିମରୁ ଉତ୍ତର ଯାଏଁ ଏବେ ବିଜେପିରେ ଦେଖିବାକୁ ମିଳିଛି ବିଦ୍ରୋହ । ରାଜ୍ୟ ବିଜେପିରେ ହେଉଥିବା ଏକଚାଟିଆ ଶାସନରେ ବିରୋଧରେ ଆରମ୍ଭ ହୋଇଛି ବିଦ୍ରୋହ । ଯେଉଁଥିପାଇଁ ପଶ୍ଚିମ ଓଡିଶାର ଟାଣୁଆ ନେତା ସୁବାସ ଚୌହାନ ଓ ମୟୂରଭଞ୍ଜରେ ବିଜେପିକୁ ନୂଆ ପରିଚୟ ଦେଇଥିବା ରାଜକିଶୋର ଦାସ ଦଳରୁ ଇସ୍ତଫା ଦେଇଛନ୍ତି । ଆଉ ଦୁହିଁଙ୍କ ଇସ୍ତଫା ପଛର ମୂଳ କାରଣ ଥିଲା ପାର୍ଟିରେ ଏକ ନିଦ୍ଦିଷ୍ଟ ବ୍ୟକ୍ତିଙ୍କ ଏକଚାଟିଆ ଶାସନ । ଯିଏ ଦଳୀୟ କର୍ମୀଙ୍କୁ ଅତ୍ୟାଚାର କରୁଛନ୍ତି ଓ ନିଜର ଜାଗିରରେ ପାର୍ଟି ଚଳାଉଛନ୍ତି । ଏଭଳି ଅଭିଯୋଗ ଆଣି ଉଭୟ ନେତା ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରୁଥିଲେ ତାହା ବୁଝିବା ବାକି ନଥିଲା ।

ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ସହ ପ୍ରଥମେ ବିଜେପି ସହ ଦୀର୍ଘ ୪୦ ବର୍ଷର ସର୍ମ୍ପକ କାଟିଥିଲେ ମୟୂରଭଞ୍ଜର ଟାଣୁଆ ନେତା ରାଜକିଶୋର ଦାସ । ଆଉ ଏହାପରେ ବିଜେଡି ଶିବିରରେ ଏଣ୍ଟ୍ରି ମାରିବା ପରେ ଧର୍ମେନ୍ଦ୍ରଙ୍କୁ ବୁଲେଙ୍କ ବଙ୍କେଇ ଟାର୍ଗେଟ କରିଥିଲେ । ଏପରିକି ଔରଙ୍ଗଜେବର ଟ୍ୟାଗ ଦେବାକୁ ମଧ୍ୟ ପଛାଇ ନଥିଲେ ରାଜକିଶୋର । ବିଜେଡି ଅଫିସରୁ ହିଁ ବିଜେପିର ସେହି ପ୍ରଭାବଶାଳୀ ନେତାଙ୍କୁ ଟାର୍ଗେଟ କରିଥିଲେ ରାଜକିଶୋର । ନିର୍ବାଚନ ପୂର୍ବରୁ ଆହ୍ୱାନ ଦେଇ ରାଜକିଶୋର କହିଥିଲେ, ଯେଉଁ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ଯଦି ସତସାହସ ଅଛି ତେବେ ମୋରଡାରୁ ମୋ ସହ ଲଢିକି ଜିତନ୍ତୁ ତାହା ପରେ ଓଡିଶାର ନେତୃତ୍ୱ ନେବାକୁ ଚିନ୍ତା କରିବେ । ଯାହାର ୱାର୍ଡମେମ୍ବର ଜିତିବାର ଯୋଗ୍ୟତା ନାହିଁ ସିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଏହି ସ୍ୱପ୍ନ କେବେ ପୂରଣ ହେବ ନାହିଁ । ମୟୂରଭଞ୍ଜକୁ ନେଇ ବିଜେପି ଯେଉଁ ଗର୍ବ କରୁଥିଲା ଆଗାମୀ ଦିନରେ ସେଠାରେ ବିଜେପି ଶୂନ ହୋଇଯିବ ବୋଲି ଦମ୍ଭ ଦେଖାଇ କହିଥିଲେ ରାଜକିଶୋର ।

ରାଜକିଶୋରଙ୍କ ପରେ ସୁବାସ ମଧ୍ୟ ସମାନ ଅଭିଯୋଗ ଆଣି ଦଳ ସହ ଦୀର୍ଘ ବର୍ଷର ସର୍ମ୍ପକ ଛିନ୍ନ କରିଥିଲେ । ଏପରିକି ଦୀର୍ଘ ବର୍ଷର ଛିନ୍ନ କରୁଥିବାରୁ ନିଜ କୋହ ସମ୍ଭାଳି ନ ପାରି କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ ସୁବାସ । ଆଉ ଇସ୍ତଫା ଦେବାର ଗୋଟିଏ ଦିନ ପରେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ସୁବାସ । ଆଉ ନବୀନ ନିବାସରୁ ହିଁ ନିର୍ବାଚନ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛନ୍ତି ସୁବାସ । କିନ୍ତୁ ରାଜକିଶୋରଙ୍କ ଭଳି ବୁଲେଇ ବଙ୍କେଇ ନୁହେଁ ବରଂ ସିଧାସଳଖ ଧର୍ମେନ୍ଦ୍ରଙ୍କ ନାଁ ନେଇ ଟାର୍ଗେଟ କରିଛନ୍ତି ସୁବାସ । ଧର୍ମେନ୍ଦ୍ରଙ୍କୁ ଦୁର୍ଯ୍ୟୋଧନ ସହ ତୁଳନା କରି ଡାଇରେକ୍ଟ ଆଟାକ କରିଛନ୍ତି ସୁବାସ । ଏପରିକି ଏଭଳି ଅହଂକାରୀ ନେତାଙ୍କ ବିରୋଧରେ ଲଢେଇ ପାଇଁ ନବୀନ ବାବୁଙ୍କୁ ଯୁଧିଷ୍ଠିର ସହ ତୁଳନା କରି ତାଙ୍କ ପକ୍ଷ ନେଇଛି ବୋଲି କହିଛନ୍ତି ସୁବାସ ।

ରାଜ୍ୟ ବିଜେପିରେ ଗୋଟିଏ କୁଚକ୍ରୀ ଗୋଷ୍ଠୀ ଯେଉଁଭଳି ଭାବେ ପୁରୁଣା କର୍ମୀଙ୍କୁ ଅଣଦେଖା ଓ ଅତ୍ୟାଚାର କରୁଛନ୍ତି ତାହା ବିରୋଧରେ ଏହି ମହାଲଢେଇର ଆରମ୍ଭ ବୋଲି କହିଛନ୍ତି ସୁବାସ । ଗୋଟିଏ ପଟେ ରାଜ୍ୟ ବିଜେପିର କ୍ଷମତାକେନ୍ଦ୍ର ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆସୁଥିବା ବେଳେ କେନ୍ଦ୍ରୀୟ ବିଜେପିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଯେତେବେଳେ ଲାଲକୃଷ୍ଣ ଆଡଭାଣୀ ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବରିଷ୍ଠ ନେତାଙ୍କ ଟିକେଟ କାଟିଛି ବିଜେପି । ଆଉ ଦଳର ଏଭଳି ନିଷ୍ପତିରେ ମୁରଲୀ ଖପ୍ପା ହୋଇଥିବା ବେଳେ ଆଡଭାଣୀ ଚୁପ୍ ରହିବାକୁ ଶ୍ରେୟସ୍କର ମଣିଛନ୍ତି । ଏପରିକି କେନ୍ଦ୍ରରେ ମୋଦି-ଶାହା ଯୋଡି ଯେଉଁଭଳି ବରିଷ୍ଠ ନେତାଙ୍କୁ ଅଣଦେଖା କରୁଛନ୍ତି ଠିକ୍ ସେହିଭଳି ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଟିମ୍ ମଧ୍ୟ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ପଦ୍ମ ଫୁଲରୁ ଗୋଟିଏ ପରେ ଗୋଟିଏ ପାଖୁଡା ଖସୁଥିବା ଦେଖିବାକୁ ମିଳୁଛି ।