ବିଜେପୁରରେ କେଉଁ ପ୍ରାର୍ଥୀ ଅଧିକ ପାଠୁଆ? ଜାଣନ୍ତୁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାର ପୂରା ତଥ୍ୟ ?

91

କନକ ବ୍ୟୁରୋ : ବିଜେପୁର ବାଜି ଜିତିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦେଉଛନ୍ତି ଅଗ୍ନିପରୀକ୍ଷା । ଜୋର ଧରିଛି ପ୍ରଚାର ତାତି । ପ୍ରତ୍ୟେକ ପ୍ରାର୍ଥୀ ନିଜ ପାଇଁ ଭୋଟ ମାଗିବା ସହ ଲୋକଙ୍କ ସେବା କରିବା ପାଇଁ ପ୍ରତିଶୃତି ଦେଉଛନ୍ତି । କିଏ ବିଜେପୁର ପାଇଁ ଉପଯୁକ୍ତ ପ୍ରାର୍ଥୀ ତାହା ଏବେଠୁ କହିବା କଷ୍ଟକର । କିଏ ବିଜେପୁରର ବିକାଶ ପାଇଁ ରାଜଧାନୀରେ ସ୍ୱର ଉତ୍ତୋଳନ କରିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦରେ ଭୋଟର । କିନ୍ତୁ କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବା ପୂର୍ବରୁ ତାଙ୍କ ବିଷୟରେ ସମସ୍ତ ତଥ୍ୟ ଜାଣିବା ପାଇଁ ଭୋଟରଙ୍କ ମନରେ ପ୍ରବଳ ଉକ୍ରଣ୍ଠା ରହିଛି । ତେଣୁ ଭୋଟରଙ୍କୁ ପ୍ରାର୍ଥୀଙ୍କ ବିଷୟରେ କିଛି ତଥ୍ୟ ଦେବା ପାଇଁ କନକ ନ୍ୟୁଜ ଆରମ୍ଭ କରିଛି ପ୍ରୟାସ । ନିର୍ବାଚନୀ ପ୍ରଚାର ଜୋର ଧରିଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ କେତେ ପାଠୁଆ ତାହା ସାମ୍ନାକୁ ଆସିଛି । ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିବା ତଥ୍ୟ ଅନୁଯାୟୀ କେଉଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଜଣାପଡିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାନ୍ତୁ ।

ସତ୍ୟପାଠରେ ପ୍ରାର୍ଥୀମାନେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ମାଟ୍ରିକ ପାସ । ୬୨ ବର୍ଷିୟ ପ୍ରଣୟ ୧୯୭୩ ମସିହାରେ ଗାଈସିଲଟର ସରକାରୀ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରେ ଚାଷକୁ ପେଶା ଭାବରେ ଗ୍ରହଣ କରିଥିଲେ । ଠିକ୍ ସେହିଭଳି ଯଦି ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବା ତେବେ ସେ ମଧ୍ୟ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ୧୯୮୬ ମସିହାରେ ରୀତା ଝାରସୁଗୁଡାର ପୁରୁଣାବସ୍ତି ଏମପିଏଲ ହାଇସ୍କୁଲରେ ପାଠ ପଢିବା ସହ ବୋର୍ଡ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ଏହାବାଦ ତାଙ୍କ ପାଖରେ ଅନ୍ୟ କୌଣସି ଡିଗ୍ରୀ ନାହିଁ ।

bijepur (4)ଶିକ୍ଷାଗତ ଯୋଗ୍ୟତା ମାମଲାରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ଠାରୁ ଢେର ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ତିନି ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଅଧିକ ପାଠ ପଢିଛନ୍ତି ଅଶୋକ । ସେ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି । ୧୯୭୬ ମସିହାରେ ଉଚ୍ଚ ମାଧ୍ୟମିକ ଶିକ୍ଷା (ବୈଷୟିକ) ଶେଷ କରିଥିବା ଅଶୋକ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ କଳା ବିଷୟରେ ଗ୍ରାଜୁଏସନ ପାଠ ପଢା ଶେଷ କରିଥିଲେ । ଏହାପରେ ପୁର୍ନବାର ୧୯୮୩ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ହାସଲ କରିଥିଲେ । ପରେ ୧୯୮୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାଠପଢା ଶେଷ କରିବା ସହ ଆଡଭୋକେଟ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।