ବିଜ୍ଞାପନ ବଜାରରେ ଲଭବାର୍ଡକୁ ନେଇ ଚହଳ ! ବିରାଟ-ଅନୁଷ୍କାଙ୍କ ଉପରେ ସମସ୍ତଙ୍କ ନଜର

97

କ୍ରିକେଟର ବିରାଟ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କୁ ନେଇ ସବୁଠି ଚର୍ଚ୍ଚା । କେତେବେଳେ ବିରାଟଙ୍କ ମାଷ୍ଟରଷ୍ଟ୍ରୋକକୁ କ୍ରିକେଟପ୍ରେମୀ ପାଗଳ ତ ଆଉ କେତେବେଳେ ବିରାଟ-ଅନୁଷ୍କାଙ୍କ ଲଭକୁ ନେଇ ଗଣମାଧ୍ୟମରେ ହଲଚଲ । ଏବେ କିନ୍ତୁ କ୍ରିକେଟ, ଲଭକୁ ଛାଡି ଦୁଇ ଷ୍ଟାର ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । କ୍ରିକେଟ ପଡିଆରେ ଗୋଟିଏ ପର ଗୋଟିଏ ରେକର୍ଡ ଭାଙ୍ଗୁଥିବା ରେକର୍ଡ ମ୍ୟାନ କୋହଲି ଏବେ ବିଜ୍ଞାପନ ବଜାରରେ ଚହଳ ପକାଇଛନ୍ତି ।

୪ ବର୍ଷ ତଳେ ବିରାଟ ଓ ଅନୁଷ୍କାଙ୍କ ଯୋଡ଼ିକୁ ପ୍ରଥମେ ହିନ୍ଦୁସ୍ତାନ ୟୁନିଲିଭରର କ୍ଲିୟର ସାମ୍ପୁ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ଏହା ସେତେବେଳେ ବେଶ ହିଟ ହୋଇନଥିଲା । କମ୍ପାନି ବି ଏଥିରୁ ଅନେକ ଲାଭବାନ ହୋଇପାରିଥିଲା । ନିକଟରେ ପୋଷାକ ବ୍ରାଣ୍ଡ ମାନ୍ୟବର ବିଜ୍ଞାପନରେ ଉଭୟଙ୍କୁ ଦ୍ୱିତୀୟ ଥର ପାଇଁ ଦେଖିବାକୁ ମିଳିଛି ।

ଭଭୟଙ୍କ ଦୀର୍ଘଦିନରୁ ଥିବା ପ୍ରେମ ସମ୍ପର୍କ ଖୁବଶୀଘ୍ର ବିବାହ ବନ୍ଧନରେ ପରିଣତ ହେବାକୁ ଯାଇଥିବାରୁ ଏହି ବ୍ରାଣ୍ଡ ଯୋଡ଼ିକୁ ଏକ ନୂଆ ଦିଗ ମିଳିବ । ଏମାନଙ୍କ ବ୍ରାଣ୍ଡ ମୂଲ୍ୟ କାହିଁ କେତେ ବୃଦ୍ଧି ହେବାର ସମ୍ଭାବନା ଅଧିକ । କାରଣ ଏମାନଙ୍କ ବିବାହକୁ ଏବେ ବିଜ୍ଞାପନ ବଜାର ଚାହିଁ ରହିଛି । ରିଅଲ ଇଷ୍ଟେଟ ଠାରୁ ଆରମ୍ଭ କରି ଅଳଙ୍କାର, କାର, ଖାଉଟି ଉପାଦ ପର୍ଯ୍ୟନ୍ତ ଅନେକ ବର୍ଗର କମ୍ପାନି ଏବେ ଏହି ନୂଆ ଯୋଡ଼ି ଉପରେ ନଜର ରଖିଛନ୍ତି । ବିବାହ କରିବା ପରେ କୋହଲି ଓ ଅନୁଷ୍କା ଦେଶର ଅନ୍ୟତମ ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି ଭାବେ କୋଟି କୋଟି ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବେ ।

ପୂର୍ବରୁ ଅଜୟ-କାଜୋଲ, ଅକ୍ଷୟ-ଟ୍ୱିଙ୍କିଲ, କରୀନା-ସୈଫ ଏବଂ ଅମିତାଭ-ଜୟାଙ୍କ ଯୋଡ଼ିଙ୍କୁ ବିଜ୍ଞାପନରେ ଦେଖିବାକୁ ମିଳିସାରିଛିି । ଏମାନଙ୍କୁ ନେଇ ଅନେକ ଚର୍ଚ୍ଚା ବି ହୋଇଛି । ତେବେ ଏହି ସେଲିବ୍ରିଟି ଯୋଡ଼ିମାନେ ବ୍ରାଣ୍ଡ ପିଛା ୪-୫ କୋଟି ଟଙ୍କାରୁ ୭-୮ କୋଟି ଟଙ୍କା ଯାଏ ପାଉଛନ୍ତି । ଅନ୍ୟପକ୍ଷରେ ବିରାଟ-ଅନୁଷ୍କା(ବିରୁଷ୍କା) ଯୋଡ଼ି ବ୍ରାଣ୍ଡ ପିଛା ୧୦ ରୁ ୧୨ କୋଟି ଟଙ୍କାରୁ ଅଧିକ ପାରିଶ୍ରମିକ ପାଇପେରିବେ ବୋଲି ଚର୍ଚ୍ଚା ହେଉଛି । କାରଣ ବିରାଟ ଏବେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରହିଥିବା ବେଳେ ଅନୁଷ୍କା ବଲିଉଡ ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ।

ବଲିଉଡ ଓ କ୍ରିକେଟ କ୍ଷେତ୍ରରେ ପୂର୍ବରୁ ଏଭଳି ଯୋଡ଼ି ଦେଖିବାକୁ ମିଳିନାହିଁ । ତେଣୁ ବିରାଟ ଅନୁଷ୍କାଙ୍କ ଯୋଡ଼ି ସର୍ବାଧିକ ଲୋକପ୍ରିୟତା ସାଉଁଟିବ ବୋଲି କ୍ୱାନ ଏଂଟରଟେନମେଂଟ ଆଣ୍ଡ ମାର୍କେଟିଂଗ ସଲୁସ୍ୟନ୍ସର ପ୍ରତିଷ୍ଠାତା ପାର୍ଟନର ଇନ୍ଦ୍ରନିଲ ଦାସ ବ୍ଲାହ ମତବ୍ୟକ୍ତି କରିଛନ୍ତି । ତାଙ୍କ କହିବା ଅନୁଯାୟୀ ବିରାଟ-ଅନୁଷ୍କା ହେଉଛନ୍ତି ସେଲିବ୍ରିଟି ରୟାଲିଟି । ତେଣୁ ବିଜ୍ଞାପନଦାତା ଏବେ ଏହି ହିଟ ଯୋଡ଼ି ଉପରେ ନଜର ରଖିଛନ୍ତି । ବିବାହ ହେବା କ୍ଷଣି ଏମାନେ ଲମ୍ବା ଧାଡ଼ି ଲଗାଇବେ । ବିବାହ ସମ୍ପନ୍ନ ପରେ ଏହି ଯୋଡ଼ିଙ୍କ ଉପରେ ଅର୍ଥ ବର୍ଷା ହେବ ।

ବିରାଟ ଓ ଅନୁଷ୍କା ଚଳିତ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହେବ ବୋଲି ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି । ବିରାଟ ବି ଶ୍ରିଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ କ୍ରିକେଟ ମ୍ୟାଚରୁ ଛୁଟି ନେଇଛନ୍ତି । ତେଣୁ ବିବାହ ପାଇଁ ସେ ଛୁଟିରେ ଥିବା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ତା’ଛଡା ମାନ୍ୟବର ବିଜ୍ଞାପନରେ ଉଭୟଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିବାରୁ ଉଭୟ ବିବାହ କରିବେ ବୋଲି ଅନେକ ବିଶ୍ୱାସ କରୁଛନ୍ତି । ଏ ନେଇ ମୁମ୍ବାଇଭିତ୍ତିକ ଏକ ଷ୍ଟାର୍ଟଅପ ଅନସ୍ପନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବ୍ରାଣ୍ଡ ବିଶେଷଜ୍ଞ ହିତେଶ ଗୋସାଇଁ କହିଛନ୍ତି, ବିରାଟ ଓ ଅନୁଷ୍କାଙ୍କ ଲୋକପ୍ରିୟତା ଏବେ ବହୁ ଉଦ୍ଧ୍ୱର୍ରେ ।

ତେଣୁ ବିଜ୍ଞାପନଦାତାମାନେ ସେମାନଙ୍କ ଉପରେ ଦୃଷ୍ଟି ପକାଇବା ସ୍ୱାଭାବିକ । ନିକଟରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ପଛକୁ ଟେଷ୍ଟ କ୍ରିକେଟର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଟସମ୍ୟାନ ମାନ୍ୟତା ଦେଇଛି । ଅନ୍ୟପକ୍ଷରେ ସୁଲତାନ, ପିକେ ଭଳି ବିଗ-ବଜେଟ ମୁଭିରେ ଅନୁଷ୍କା ନିଜର ଶ୍ରେଷ୍ଠ ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଏହା ବ୍ୟତିତ । ଏନଏଚ-୧୦ ଓ ଫିଲୌରି ମୁଭି ସେ ନିର୍ମାଣ କରିଛିନ୍ତି ।