ଆଜି ସରୁଛି ସୁପ୍ରିମକୋର୍ଟଙ୍କ ଖଣି ଜରିମାନା ଅବଧି ! ନିଦ୍ଧାରିତ ହେବ ଖିଲାପୀ ଖଣି ମାଲିକଙ୍କ ଭାଗ୍ୟ

51

କନକ ବ୍ୟୁରୋ:  ଆଜି ମଧ୍ୟ ରାତ୍ରରୁ ସରୁଛି ଖଣି ଜରିମାନା ଅବଧି । ପ୍ରାୟ ୧୮ ହଜାର କୋଟିର ଜୋରିମାନାରୁ ଆଜି ସୁଦ୍ଧା ମାତ୍ର ୮ ହଜାର କୋଟି ଜରିମାନା ଆଦାୟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଏମସି ୧୯୯୩ କୋଟି, ଟାଟା, ରୁଙ୍ଗଟା ୧୦୦୦ କୋଟିରୁ ଅଧିକ ଟଙ୍କା, ଆର୍ଯ୍ୟ ମାଇନିଂ ଓ ଟ୍ରେଡିଂ ୧୪୬ କୋଟି ଟଙ୍କା ଜରିମାନା ଦେଇଛନ୍ତି । ତେବେ ବଡ କଥା ହେଉଛି ଚାଲୁ ରହିଥିବା କିଛି ବଡ ଖଣି ଲିଜଧାରୀ ଏଯାଏଁ ଅର୍ଥ ପ୍ରଦାନ କରିନାହାନ୍ତି । ଏବଂ ଦୀର୍ଘ ବର୍ଷ ହେଲା ବନ୍ଦ ପଡ଼ିଥିବା ଖଣିର ମାଲିକମାନେ ଜରିମାନା ଭରୁନାହାନ୍ତି ।

ଉଲ୍ଲେଖଥାଉ କି, ଆଜି ମଧ୍ୟରାତ୍ରି ସୁଦ୍ଧା ଜରିମାନା ପୈଠ ପାଇଁ କଣ୍ଟ ଧାର୍ଯ୍ୟ ହୋଇଛି । ବେଆଇନ ଖଣିଜ କାରବାର କରିଥିବା ରାଜ୍ୟର ଖଣି ଲିଜଧାରୀମାନଙ୍କ ପାଇଁ ସୁପ୍ରିମ କୋର୍ଟ ଏଭଳି କଡ଼ା ଆଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି(ସିଇସି) ମୋଟ ଜରିମାନା ରାଶି ୧୭୫୭୧ କୋଟି ଟଙ୍କା ବୋଲି ଆକଳନ କରିଛନ୍ତି । ଖଣି ବିଭାଗ ସୂତ୍ର କହୁଛି ଯେ ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ ୮୦୬୨ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି। ତଥାପି ବାକି ରହିଛି ଅଧାରୁ ଅଧିକ ଜରିମାନା ରାଶି ।

ଏଥିମଧ୍ୟରୁ ମୋଟ କାର୍ଯ୍ୟକ୍ଷମ ଥିବା ୪୬ଟି ଲୁହାପଥର ଖଣି ଲିଜଧାରୀଙ୍କ ମଧ୍ୟରୁ ୪୨ ଲିଜଧାରୀ ସମୁଦାୟ ଜରିମାନା ରାଶି ପୈଠ କରିସାରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ଓଡ଼ିଶା ଖଣି ନିଗମ(ଓଏମସି), ରୁଙ୍ଗଟା ମାଇନ୍ସ, ଟାଟା ଲିମିଟେଡ୍, ଆର୍ଯ୍ୟ ମାଇନିଂ ଆଣ୍ଡ ଟ୍ରେଡିଂ କମ୍ପାନି ପ୍ରଭୃତି। ଓଏମସି ତା’ର ସମସ୍ତ ୩୭ଟି ଖଣି (ଉଭୟ କାର୍ଯ୍ୟକ୍ଷମ, ଅଚଳ) ନିମନ୍ତେ ୨୨୯୦ କୋଟି ଟଙ୍କାର ସମୁଦାୟ ଜରିମାନା ରାଶି ପୈଠ କରିସାରିଛି । ତେବେ ବାକି ରହିଥିବା ସିରାଜଉଦ୍ଦିନ, ମେସ୍କୋ, କର୍ପ ରିସୋସେର୍ସ, ନ୍ୟାସନାଲ୍ ଏଣ୍ଟରପ୍ରାଇଜେସ ଖଣି ଲିଜଧାରୀ ଗତକାଲି ସନ୍ଧ୍ୟା ସୁଦ୍ଧା ଜରିମାନା ଜମି କରିନଥିବା ଜଣାଯାଇଛି। ତେବେ ଆଜି ରାତି ୧୨ଟା ସୁଦ୍ଧା ଅନଲାଇନ ଯୋଗେ ସେହି ଲିଜଧାରୀମାନେ ଜରିମାନା ପୈଠ କରିପାରିବେ ବୋଲି ଜଣେ ବରିଷ୍ଠ ଖଣି ଅଧିକାରୀ କହିଛନ୍ତ।