ଖୁସି ଖବର ! ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଜିଓ ଫିଚର ଫୋନର ପ୍ରି-ବୁକିଂ

31

୨୪ ଅଗଷ୍ଟ ଦିନ ସଂଧ୍ୟା ୫.୩୦ ଟାରୁ ଆରମ୍ଭ ହୋଇଥିବା ରିଲାଏନ୍ସ ଜିଓଫୋନର ପ୍ରି-ବୁକିଂ ଏବେ ବନ୍ଦ ହୋଇଛି । ତେବେ ପ୍ରି-ବୁକିଂ ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ହିଁ ଜିଓର ୱେବସାଇଟ୍ କ୍ରାସ୍ ହୋଇଯାଇଥିବା ଖବର ପ୍ରସାରିତ ହେବା ପରେ ପରବର୍ତ୍ତି ସମୟରେ ତାକୁ ଠିକ୍ କରାଯାଇ ଫୋନର ପ୍ରି-ବୁକିଂ ପ୍ରକ୍ରିୟାକୁ ପୁଣି ଥରେ ଆରମ୍ଭ କରାଯାଇଥିଲା ଏବଂ ଶନିବାର ଦିନ ଫୋନର ପ୍ରି-ବୁକିଂ ପ୍ରକ୍ରିୟା ବନ୍ଦ କରି ଦିଆଯାଇଥିବା କଂପାନୀ ପକ୍ଷରୁ ସୂଚନା ମିଳିଛି । ମାତ୍ର ୱେବସାଇଟ୍ କ୍ରାସ୍ ହେବା କାରଣରୁ ଅନେକ ଲୋକ ଜିଓ ଫିଚର ଫୋନ ବୁକିଂ କରିବାକୁ ବଂଚିତ ହୋଇଛନ୍ତି ।

ଖୁସି ଖବର ହେଲା, ପୁଣି ଥରେ ରିଲାଏନ୍ସ ନିଜର ଜିଓ ଫିଚର ଫୋନର ପ୍ରି-ବୁକିଂ ଆରମ୍ଭ କରିବାକୁ ଯାଉଛି । ଯଦିଓ ଏନେଇ ଅଧିକ କୌଣସି ସୂଚନା ଆମକୁ ମିଳିପାରିନାହିଁ ତେବେ ଜିଓର ଅଫିସିଆଲ ୱେବସାଇଟରେ ଦର୍ଶାଯାଇଥିବା ଖବର ମୁତାବକ, ଜିଓଫୋନର ପ୍ରି-ବୁକିଂ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଏବଂ ସମୟ ଆସିଲେ କଂପାନୀ ପକ୍ଷରୁ ସୂଚିତ କରାଯିବ । ତେବେ ବର୍ତ୍ତମାନ ୱେବସାଇଟରେ ପ୍ରି-ବୁକିଂର ଅପସନ ହଟାଇ ଦିଆଯାଇଛି ।

ସୂଚନା ମୁତାବକ, ଜିଓ ଫିଚର ଫୋନର ପ୍ରି-ବୁକିଂ ପୁଣି ଥରେ ଆରମ୍ଭ ହୋଇପାରେ । କିନ୍ତୁ ଏହି ପ୍ରି-ବୁକିଂର ତାରିଖକୁ ଏଯାବତ୍ କୌଣସି ସୂଚନା ମିଳିପାରିନି । କଂପାନୀ ପକ୍ଷରୁ ସୂଚନା ମିଳିଛି କି, ଜିଓଫୋନକୁ ଲକ୍ଷାଧିକ ସଂଖ୍ୟାରେ ବୁକିଂ କରିଯାଇଛି । ବର୍ତ୍ତମାନ ଗ୍ରାହକ ଏହି ଫୋନଟିକୁ କିଣିବା ପାଇଁ ରେଜିଷ୍ଟେସନ କରିପାରିବେ । ତେବେ କଂପାନୀ ଜିଓଫୋନର ମୂଲ୍ୟ ମାଗଣା ରଖିଥିବାବେଳେ ଏହାକୁ କିଣିବା ପାଇଁ ଗ୍ରାହକଙ୍କୁ ଏହାର ସିକ୍ୟୁରିଟି ବାବଦକୁ ୧୫୦୦ଟଙ୍କା ଦେବାକୁ ପଡିବ । ଏହି ଫୋନରେ ଆପଣଙ୍କୁ ଭଏସ୍ କଲ ସଂପୂର୍ଣ୍ଣ ମାଗଣା ମିଳିବ । ଏଥିପାଇଁ କଂପାନୀ ୧୫୩ ଟଙ୍କାର ଏକ ଅଫର ପ୍ଲାନ ଭେଟି ଦେଉଛି ଯେଉଁଥିରେ ଗୋଟିଏ ମାସ ପର୍ଯ୍ୟନ୍ତ ଅସୀମ ଡାଟା ମିଳିବ ।

ବଡ କଥା ହେଲା, ଆପଣ ଏହି ଫୋନକୁ ପାଖାପାଖି ୩୬ ମାସ ଯାଏଁ ବ୍ୟବହାର କରିପାରିବେ ଏବଂ ପରେ ୩ ବର୍ଷ ପୂର୍ବରୁ ହିଁ ଫୋନଟିକୁ ଫେରସ୍ତ କରି ପାରିବେ । ଏଥିସହିତ ସିକ୍ୟୁରିଟି ବାବଦକୁ ଦେଇଥିବା ୧୫୦୦ଟଙ୍କାକୁ ମଧ୍ୟ ଫେରସ୍ତ ପାଇପାରିବେ ।

ଏହି ବୁକିଂ ପାଇଁ ଆପଣଙ୍କ ମୋବାଇଲ ନମ୍ବର ସହ ଆପଣ ରହୁଥିବା ଅଂଚଳର ପିନକୋର୍ଡ ଦେବାକୁ ପଡିବ । ବିଶେଷ କଥା ହେଲା କି, ଆପଣଙ୍କୁ ଆପଣଙ୍କର ଆଧାରକାର୍ଡ ସଂପର୍କିତ କୌଣସି ତଥ୍ୟ ଏଥିରେ ଆଉ ଦେବାକୁ ପଡିବନି । ଜିଓ ଫୋନକୁ ‘ପ୍ରଥମେ ଆସ ପ୍ରଥମେ ପାଓ’ ଆଧାରରେ ଡିଷ୍ଟ୍ରିବୁଟ୍ କରାଯିବ । ଇତି ମଧ୍ୟରେ ଯଦି ଆପଣ ଏହି ଫୋନଟିକୁ କିଣିବାକୁ ଚାହୁଁଛନ୍ତି ତେବେ ଆଗାମୀ ବୁକିଂ ଆରମ୍ଭ ହେବା କ୍ଷଣି ବୁକ୍ କରି ଦିଅନ୍ତୁ ।

ସୌଜନ୍ୟ: ଏବିପି ନ୍ୟୁଜ୍