ସୁରକ୍ଷାକର୍ମୀଙ୍କ ଗୁଳିରେ ଆଦିବାସୀଙ୍କ ମୃତ୍ୟୁ ଘଟଣା : ସରଜମିନ ତଦନ୍ତ ପାଇଁ ବାଲିଗୁଡାରେ ଏସଆଇଟି ଟିମ୍

14

ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିରେ ଆଦିବାସୀଙ୍କ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ କରିବାକୁ ବାଲିଗୁଡାରେ ପହଂଚିଛି ଏସଆଇଟି ଟିମ୍ । ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଏକ ୭ ଜଣିଆ ଦଳ ଆଜି ସକାଳୁ ଫୁଲବାଣୀରୁ ଯାଇ ବାଲିଗୁଡାରେ ପହଂଚିଛନ୍ତି । ଏସଆଇଟି ଟିମ୍ ଆଜି ବାଲିଗୁଡାରେ ପହଂଚିଥିବାବେଳେ ଥାନାଅଧିକାରୀ ଏବଂ ଅପରେସନରେ ସଂପୃକ୍ତ ଯବାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ବରିଷ୍ଠ ଆଇପିଏସ ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଏହି ଟିମ ଏନକାଉଂଟର ଘଟଣାର ଟିଖିନିଖି ତଦନ୍ତ କରିବ । ମୃତାହତଙ୍କ ପରିବାର ସଦସ୍ୟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବ । ତେବେ ଟିମ୍ ଗୁମୁଡୁମାହା ଗସ୍ତ କରିବ ନା ବାଲିଗୁଡାରେ ହିଁ ବୟାନ ରେକର୍ଡ କରାଯିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେଦିନର ଘଟଣା କେମିତି ଥିଲା, ଯବାନମାନେ କେଉଁ ପରିସ୍ଥିତିରେ ଗୁଳିମାଡ କଲେ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଏସଆଇଟି ।