ଫୋକସରେ ବୟୋଜ୍ୟେଷ୍ଠ ! ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ନବୀନ

40

ଗଞ୍ଜାମ, କନକ ନ୍ୟୁଜ୍ : ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ହଜାରେ ତୀର୍ଥଯାତ୍ରୀଙ୍କୁ ଧରି ରାମେଶ୍ୱରମ ଓ ମଦୁରାଇ ଯାଇଛି ଟ୍ରେନ୍ । ଏଥିପାଇଁ ଷ୍ଟେସନ ପରିସରରେ ଦେଖିବାକୁ ମିଳିଥିଲା ଭକ୍ତିମୟ ପରିବେଶ । ତେବେ ଆଗକୁ ଆଉ ହଜାରେ ଲେଖାଏଁ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱରରୁ ବନାରସ ଓ ସମ୍ବଲପୁରରୁ ଆଲାହାବାଦ ପଠାଯିବ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପାଇଁ ସଜାଗ ରହିଥିଲା ପୁଲିସ । ମୁତୟନ ହୋଇଥିଲେ ୩୪ ପ୍ଲାଟୁନ ପୁଲିସ । ଏସପି ଓ ଜିଆରପିର ବରିଷ୍ଠ ଅଧିକାରୀ ଟିକନିଖ୍ ଯାଂଚ କରୁଥିଲେ । ହେଲେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦେଖିବାକୁ ମିଳିଥିଲା ଅସ୍ୱାଭାବିକ ସ୍ଥିତି । ମୁହାଁମୁହିଁ ହୋଇଥିଲେ କର୍ମୀ । ରଣକ୍ଷେତ୍ର ପାଲଟି ଥିଲା ଷ୍ଟେସନ ପରିସର । ବିରୋଧ ଭୟରେ ଜିଲ୍ଲା ବିଜେପିର ସମ୍ପାଦକଙ୍କୁ ନିସ୍ତୁକ ମାଡ ମାରିଥିଲେ ବିଜେଡି କର୍ମୀ । ପୂର୍ବରୁ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଥିଲା ପୁଲିସ । କଂଗ୍ରେସର ୮ କର୍ମୀଙ୍କୁ ବି ଅଟକ ରଖାଯାଇଥିଲା ।

ସେପେଟ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ନେଇ ଜୋର୍ ଧରିଛି ରାଜନୀତି । ରାଜ୍ୟରେ ପ୍ରାୟ ୪୦ ଲକ୍ଷ ବୃଦ୍ଧା ଥିବାବେଳେ କେତେ ବର୍ଷରେ ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ତୀର୍ଥସ୍ଥାନକୁ ପଠାଇହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।