ଶ୍ରୀମନ୍ଦିରରେ କନକ ନ୍ୟୁଜର ରିୟଲିଟି ଚେକ୍ ! ମନ୍ଦିରରେ ରହିଛି ଦାନ ଥାଳି, ହେଲେ ଦକ୍ଷିଣା ଦାବି କରୁ ନାହାନ୍ତି ସେବାୟତ ।

34

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ ଗସ୍ତ ପରେ କଣ ଆସିଛି ଶ୍ରୀମନ୍ଦିରରେ ସଂସ୍କାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଆମିକସକ୍ୟୁରୀ ୩ ସପ୍ତାହ ସମୟ ଦେଇଥିବା ବେଳେ କେମିତି ରହିଛି ଶ୍ରୀମନ୍ଦିରର ବ୍ୟବସ୍ଥା । ଆମିକସକ୍ୟୁରୀ ଯିବା ପରେ ମନ୍ଦିରରେ ରିଆଲିଟି ଚେକ୍ କରିଛି କନକ ନ୍ୟୁଜ ।

ଶ୍ରୀମନ୍ଦିର ଭିତରେ ଏବେବି ଦାନ ଥାଳି ରହିଛି ହେଲେ ଦାବି କରୁନାହାନ୍ତି ସେବାୟତ । ଯିଏ ଚାହିଁଲା ନିଜ ଇଛାରେ ଦାନ-ଦକ୍ଷିଣା ଦେଉଛି । ଆଗ ଭଳି ଆଉ ବାଧ୍ୟ କରୁନାହାଁନ୍ତି ସେବାୟତ । ଆଚରଣରେ ବି ପରିବର୍ତନ ଆସିଛି । ତେବେ କିିଛି ସେବାୟତ ଏବେବି ଦକ୍ଷିଣା ପାଇଁ ଶ୍ରଦ୍ଧାଳୁଙ୍କୁ ହଇରାଣ କରୁଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିରରେ ଆସୁଛି କି ସଂସ୍କାର ? ରାଜ୍ୟ ଭିତରୁ ହେଉ ଅବା ବାହାର ରାଜ୍ୟର, ଅଧିକାଂଶ ଶ୍ରଦ୍ଧାଳୁ କହିଛନ୍ତି, ସୁରୁଖୁରୁରେ ହୋଇଛି ଜଗା ଦର୍ଶନ । ମନ୍ଦିରରେ କିଛିଟା ପରିବର୍ତନ ଆସିଛି । ହେଲେ ଏବେବି ମନ୍ଦିରରେ ସ୍ୱଚ୍ଛତା ଜରୁରୀ । ମନ୍ଦିର ପରିସରରେ ଥଣ୍ଡା ପାଣିର ବ୍ୟବସ୍ଥା ହେବା ଆବଶ୍ୟକ । ମହାପ୍ରସାଦ ଦର ସମସ୍ତଙ୍କ ପାଇଁ ସମାନ ରହିଲେ ଆଉ ମୂଲଚାଲ କରିବାକୁ ପଡିବନି ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଦୁଇ ଦିନ ଧରି ଶ୍ରୀମନ୍ଦିରରେ ସଂସ୍କାର ନେଇ ଅନୁଧ୍ୟାନ କରିଥିଲେ । ପୁରୀ ଗଜପତି, ଶଙ୍କରାଚାର୍ଯ୍ୟ ଓ ବିଭିନ୍ନ ସେବାୟତ ନିଯୋଗର ମତାମତ ନେଇଥିଲେ । ଏଥିସହ ସୁପ୍ରିମକୋର୍ଟ ଦେଇଥିବା ଆଦେଶର କାର୍ଯ୍ୟକାରୀତା ପାଇଁ ୩ ସପ୍ତାହର ମହଲତ ଦେଇଛନ୍ତି ଆମିକସକ୍ୟୁରୀ । ମୋଟାମୋଟି ଭାବେ ଶ୍ରୀମନ୍ଦିରରେ ଆଂଶିକ ପରିବର୍ତନ ଆସିଛି । ସେବାୟତଙ୍କ ଆଚରଣ ବଦଳୁଥିବା ଲକ୍ଷ୍ୟ କରାଯାଇଛି । ଯାହା ଶ୍ରୀକ୍ଷେତ୍ରକୁ ଆସୁଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସି ଆଣିଦେଇଛି ।