ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀ ହରିବଂଶ ସିଂ ଓ ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କ ମଧ୍ୟରେ ଟକ୍କର

28

କନକ ବ୍ୟୁରୋ : ଆଜି ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି ।

ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଗତ ଜୁନ୍ ମାସରୁ ଖାଲି ପଡ଼ିଥିବା ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ୨୪୫ ସଂଖ୍ୟା ବିଶିଷ୍ଟ ରାଜ୍ୟସଭାରେ ଏବେ ଅଛନ୍ତି ୨୪୪ ସଦସ୍ୟ । ନିର୍ବାଚନ ଜିତିବା ପାଇଁ ୧୨୩ ମ୍ୟାଜିକ ନମ୍ବର । ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଠାରୁ ଉଭୟ ଏନଡିଏ ଏବଂ ୟୁପିଏ ବହୁ ପଛରେ ଅଛନ୍ତି । ବିଜେପିର ୭୩ ସାଂସଦ ଏବଂ ସହଯୋଗୀ ଦଳଗୁଡ଼ିକର ସାଂସଦକୁ ମିଶାଇଲେ ବିଜେପି ପାଖରେ ୧୦୯ଟି ଭୋଟ୍ ରହିଛି । ସେପଟେ କଂଗ୍ରେସ ପାଖରେ ରହିଛି ୫୦ ଜଣ ସାଂସଦ । ଆଉ ସହଯୋଗୀ ଦଳଙ୍କୁ ମିଶାଇଲେ ସଂଖ୍ୟା ହେଉଛି ୧୧୨ । ମ୍ୟାଜିକ ନମ୍ବରରୁ ଉଭୟ ଦଳ ପଛରେ ।

ଉଭୟ ଏନଡିଏ ଏବଂ ୟୁପିଏରେ ନଥିବା ଦଳଗୁଡ଼ିକ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କିଙ୍ଗ ମେକର ଭୂମିକାରେ ରହିବେ । ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଏକ ବଡ ବାର୍ତ୍ତା ଆଣିବାକୁ ଯାଉଛି । କାହା ସପକ୍ଷରେ ରହିଛି ଆଂଚଳିକ ଶକ୍ତିଗୁଡ଼ିକର ସମର୍ଥନ । ଏହି ନିର୍ବାଚନରେ ତାହା ସ୍ପଷ୍ଟ ହୋଇଯିବ । ବିଶେଷ କରି ଏନଡିଏ ବିରୋଧରେ ମେଳି ବାନ୍ଧୁଥିବା ବିରୋଧୀ ଦଳ ଗୁଡ଼ିକ ପାଇଁ ଏକ ଶକ୍ତି ପରୀକ୍ଷା ବୋଲି ଚର୍ଚ୍ଚା ହେଉଛି ।