ଲୋକସଭା ନା ରାଜ୍ୟସଭା ପଥରଗାଡ଼ି ଶାସନରେ ଗ୍ରାମସଭା! ଆନ୍ଦୋଳନ ନାଁରେ ଦାଦାବଟି ପାଇଁ ଆଦିବାସୀ ଦେଖାଉଛନ୍ତି ନାଲିଆଖି ।

35

କନକ ବ୍ୟୁରୋ : ନିଜ ଶାସନ ନିଜେ କରିବୁ, ସୁନ୍ଦରଗଡ ଜିଲ୍ଲାରେ ଏବେ ପେଶା ଆଇନ ଲାଗୁ କରିବାକୁ ଅଣ୍ଟା ଭିଡିଛନ୍ତି ଆଦିବାସୀ । ସୁନ୍ଦରଗଡ ଜିଲ୍ଲା ୧୦ ବ୍ଲକର ପାଖାପାଖି ୩ଶହ ଗାଁରେ ବର୍ତ୍ତମାନ ପଥରଗାଡି ପରମ୍ପରା ମୁଣ୍ଡ ଟେକିବାରେ ଲାଗିଛି । ନିଜ ଗାଁ ନିଜେ ଶାସନ କରିବା ପାଇଁ ଆଦିବାସୀଙ୍କ ମଧ୍ୟରେ ସ୍ୱର ଉଠିବାକୁ ଲାଗିଛି । ଯେଉଁଥି ପାଇଁ ସରକାରୀ ଅଧିକାରୀ ହୁଅନ୍ତୁ କି ପ୍ରଶାସନିକ ବରିଷ୍ଠ ଅଧିକାରୀ କାହାକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଉ ନାହାଁନ୍ତି ଗାଁଲୋକ ।

ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଝାଣ୍ଟେଲବୁଡ ଗାଁରେ ଦାଦାବଟି ଆଦାୟ କରିଲେଣି ପଥରଗାଡି ଆନ୍ଦୋଳନକାରୀ । ଯାହାର ଶିକାର ହୋଇଛନ୍ତି ୧୯୭୩ ବ୍ୟାଚ ଓଡିଶା କ୍ୟାଡରର ଆଇଏଏସ ଅଫିସର ଲିବୁନ୍ସ କିଣ୍ଡେ । ସୁଚନା ମୁତାବକ ଝାଣ୍ଟେଲବୁଡ ଗାଁର ଦୁଇଟି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ରାସ୍ତା କାମ ହୋଇଥିବା ପିଲରକୁ ଭାଙ୍ଗି ଦେଇଥିବା ବେଳେ ଅନ୍ୟପଟେ ନିଜ ଗାଁରେ ନିଜେ ଶାସନ କରିବା ପାଇଁ ପଥରଗାଡୁଛନ୍ତି ଆନ୍ଦୋଳନକାରୀ । ଗାଁ ମଝିରେ ଚାଲିଛି ଆଦିବାସୀଙ୍କ ନିଜସ୍ୱ ଗ୍ରାମ ସଭା । ଏହି ସଭାରୁ ଯାହା ନିଷ୍ପତି ହେଉଛି ତାହା ହିଁ ସେମାନଙ୍କ ପାଇଁ ଆଇନ କାନୁନ । ନା ରାଜ୍ୟ ସରକାର ନାଁ କେନ୍ଦ୍ର ସରକାର କାହାକୁ ମାନିବାକୁ ଏମାନେ ପ୍ରସ୍ତୁତ ନୁହଁନ୍ତି ବୋଲି ସେମାନଙ୍କ ଆଚରଣରୁ ଦେଖିବାକୁ ମିଳିଛି ।

ମାଓବାଦୀଙ୍କ ଭଳି ଦାଦାବଟି ମାଗିବାକୁ ଆରମ୍ଭ କଲେଣି ଆନ୍ଦୋଳନକାରୀ । ତେବେ ସୁନ୍ଦରଗଡ ଜିଲ୍ଲାର ୧୯୭୩ ବ୍ୟାଚ ଓଡିଶା କ୍ୟାଡର ଅବସର ପ୍ରାପ୍ତ ଆଇଏସ ଅଫିସର ଲିବନୁସ କିଣ୍ଡେ ଏହି ଦାଦାବଟିର ଶିକାର ହୋଇଥିବ ଅଭିଯୋଗ ହୋଇଛି । ସୁଚନା ମୁତାବକ ଅବସରପ୍ରାପ୍ତ ଆଇଏସ ଅଫିସର ଲିବନୁସ ଏକ ଡାଏରୀ ଫାର୍ମ କରିଛନ୍ତି, ହେଲେ ପଥରଗାଡିଙ୍କ ଅନୁମତି ନନେଇଥିବାରୁ ଆନ୍ଦୋଳନକାରୀମାନେ ତାଙ୍କୁ ନାଲିଆଖି ଦେଖାଇ ୨୦ ହଜାର ଟଙ୍କା ଦେବା ପାଇଁ କହିଛନ୍ତି । ଏଭଳି ଗୁଣ୍ଡାରାଜ ବିରୋଧରେ ଅବସରପ୍ରାପ୍ତ ଆଇଏସ ଅଫିସର ଜଣକ ବଡଙ୍ଗା ଥାନାରେ ଏତଲା ଦେଇଥିବା ଜଣାପଡିଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି । ଏଭଳି ଜଣେ ଅବସରପ୍ରାପ୍ତ ଆଇଏସ ଅଫିସରଙ୍କୁ ଗୁଣ୍ଡାରାଜ କରି ନାଲିଆଖି ଦେଖାଇଥିବା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି ।