ଧୂଳିଦାଣ୍ଡରେ ଷ୍ଟାର ଧୁମ୍ ! ପଂଚାୟତ ପ୍ରଚାର ପାଇଁ ଗାଁ ଗାଁରେ ନେତା ଓ ଅଭିନେତା

30

କନକ ବ୍ୟୁରୋ : ପଶ୍ଚିମରେ ଅନୁଭବ, ଦକ୍ଷିଣରେ ସିଦ୍ଧାନ୍ତ ଏବଂ ଉତରରେ କୁନା । ସିନେ ତାରକାଙ୍କୁ ଦେଖାଇ ଲୋକଙ୍କ ମନ ଜିଣିବାକୁ ଜୋରଦାର ଉଦ୍ୟମ କରୁଛି ବିଜେଡି । ଷ୍ଟାର ପ୍ରଚାରକଙ୍କ ଏହି ଦୌଡ଼ରେ ବିଜେପି ବି ପଛରେ ପଡ଼ିନି । ମୟୁରଭଂଜ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ପ୍ରଚାର କରିଛନ୍ତି ଅଭିନେତା ଶ୍ରୀତମ ଦାସ ।

ସିନେମା ଷ୍ଟାଇଲରେ ନିର୍ବାଚନ ପ୍ରଚାର । ପ୍ରଚାର ମୈଦାନରେ ଓଲିଉଡ୍ ତାରକା । କେଉଁଠି ରୋଡ୍ ସୋ, ତ ଆଉ କେଉଁଠି ନିର୍ବଚାନୀ ସଭା । ଗାଁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଜୋରସୋର ଉଦ୍ୟମ । ଆଜି ସମ୍ବଲପୁରରେ ବିରାଟ୍ ରୋଡ୍ ସୋ କରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ସିନେମା ଡାଇଲଗ୍ ସାଙ୍ଗଙ୍କୁ ନବୀନଙ୍କ ସଫଳତାର ଗୁଣ ବଖାଣିଛନ୍ତି । ଗୋସାଲାରୁ ଚିପିଲିମା ଯାଏଁ ହୋଇଥିବା ଏହି ରୋଡ୍ ସୋ’ରେ ସ୍ଥାନୀୟ ବିଜେଡି ନେତାଙ୍କ ସମେତ ପଂଚାୟତ ନିର୍ବାଚନର ପ୍ରାର୍ଥୀ ସାମିଲ ହୋଇଥିଲେ ।

ସେପଟେ ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଂଚଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି ଓଲିଉଡ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରିବା ସହ ଲୋକଙ୍କ ଆଗରେ ରହିଛନ୍ତି ପ୍ରତିଶ୍ରୁତି ବିରାଟ୍ ପାହାଡ । ବିଜେଡିର ଷ୍ଟାର ପ୍ରଚାରକଙ୍କ ପ୍ରଚାର କିନ୍ତୁ ଫରକ ପକାଇବ ନାହିଁ ବୋଲି ଦାବି କରିଛି ବିଜେପି ।

ସେହିପରି ବାରିପଦାରେ ଷ୍ଟାର ପ୍ରଚାରକଙ୍କ ଟକ୍କର ଦେଖିବାକୁ ମିଳିଛି । ବିଜେପି ପାଇଁ ଅଭିନେତା ଶ୍ରୀତମ ଦାସ୍ ପ୍ରଚାର କରିଥିବା ଥିଲେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଅଭିନେତା କୁନା ତ୍ରିପାଠୀ । ଦୁଇ ଜଣ ଯାକ ଅଭିନେତା ମୟୁରଭଂଜ ଜିଲ୍ଲାର ମରୋଡା ବ୍ଲକରେ ପ୍ରଚାର କରିଛନ୍ତି ।

ପ୍ରଚାର ମୈଦାନରେ ସିନେ ତାରକାଙ୍କ ଉପସ୍ଥିତି ଗାଁ ଭୋଟରଙ୍କ ମଧ୍ୟ ପ୍ରବଳ ଉତ୍ସାହ ସୃଷ୍ଟି କରୁଛି । ହେଲେ ନିର୍ବାଚନ ଫଳାଫଳ ହିଁ କହିବ-ପ୍ରକୃତରେ କେତେ ସଫଳ ହେଲା ଓଡ଼ିଶା ରାଜନୀତିର ଏହି ଏକ୍ସପେରିମେଂଟ୍ ।