କନକ ବ୍ୟୁରୋ: ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭରୁ ପାଠପଢ଼ା ବ୍ୟାହତ ହେଲାଣି। ଶିକ୍ଷାବର୍ଷ ଆରମ୍ଭରୁ ଶିକ୍ଷକମାନେ ବିଦ୍ୟାଳୟ ଛାଡି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଣୁ ଚାରି ଦିନ ହେଲା ରାଜ୍ୟର ୨୫୦୦ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଓ ୧୫୦୦ ବ୍ଲକଗ୍ରାଣ୍ଟ କଲେଜରେ ପାଠପଢ଼ା ଗଭୀର ଭାବେ ପ୍ରଭାବିତ ହୋଇଛି।ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆହ୍ଵାନକ୍ରମେ ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନେ ରାଜଧାନୀ ରାସ୍ତାରେ ରାତି କାଟୁଛନ୍ତି। ଗୋଟିଏ ପଟେ ଗୁଣାତ୍ମକ ଶିକ୍ଷା ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ରାଜ୍ୟର ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେବା ଘଟଣା ଅଭିଭାବକ ଓ ବୁଦ୍ଧିଜୀବୀ ମହଲକୁ ଚିନ୍ତାରେ ପକାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତମାନ ସୁଦ୍ଧା ପ୍ରାୟ ୩୫୦୦ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟାହତ ହୋଇଥିବା ଖବର ମିଳିଛି। କେଉଁଠି ଦୁଇ ଜଣ ଶିକ୍ଷକରେ ସ୍କୁଲ ଚାଲୁଛି ତ ଆଉ କେଉଁଠି ଅଧାରୁ କଲେଜ ଛୁଟି ହୋଇଯାଉଛି। ଦାବି ପୂରଣ ହେଉ ନ ଥିବାରୁ ମିଳିତ ମଞ୍ଚର ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର ହୋଇଛି। ଆସନ୍ତା ସପ୍ତାହରୁ ସ୍କୁଲ, କଲେଜକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ। ଶିକ୍ଷାନୁଷ୍ଠାନରେ ତାଲା ପକାଇ ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ରାଜଧାନୀକୁ ଚାଲି ଆସିବେ। ଏହାପରେ ଯେଉଁ ଅବସ୍ଥା ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଚାରି ଦିନ ହେଲା ପାଠପଢ଼ା ପ୍ରଭାବିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏ ଘଟଣାରେ ହସ୍ତକ୍ଷେପ କରିନାହାନ୍ତି। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦାବି ପୂରଣ ନେଇ ଗଠିତ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିର ପ୍ରତିନିଧିମାନେ ମଧ୍ୟ ଆଲୋଚନା ଲାଗି ବାଟ ଖୋଲିନାହାନ୍ତି।
ସୂଚନାଯୋଗ୍ୟ ଯେ, ସର୍ତ୍ତମୂଳକ ନୂତନ ଅନୁଦାନ ଆଇନକୁ ପ୍ରତ୍ୟାହାର, ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ଅନୁଦାନଯୋଗ୍ୟ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ସପ୍ତମ ବେତନ କମିସନ ଲାଗୁ, ବକେୟା ଦରମା ପ୍ରଦାନ ସମେତ ବିଭିନ୍ନ ଦାବିି ନେଇ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଉଛି।