୬ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ : ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ସଂଯୋଗ ନେଇ କରିବେ ଆଲୋଚନା

14

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୬ ଦିନିଆ ଗସ୍ତରେ ଯାଇ ଶନିବାର ଦିଲ୍ଲୀରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ସୋମବାର ସେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ସଂଯୋଗ ନେଇ ଆଲୋଚନା କରିବେ ବୋଲି କହିଛନ୍ତି ନବୀନ। ଜୟପୁରରୁ ମାଲକାନଗିରି ଓ ନବରଙ୍ଗପୁରକୁ ରେଳ ସଂଯୋଗ ପାଇଁ ରେଳ ମନ୍ତ୍ରାଳୟ ସହ ଏମଓୟୁ କରିଥିଲେ ରାଜ୍ୟ ସରକାର।

ସ୍ପେଶାଲ ପର୍ପସ ଭେଇକିଲ ଜରିଆରେ ଏହି ଦୁଇ ରେଳ ପ୍ରକଳ୍ପକୁ ଅଗ୍ରାଧିକାର ଦେବା ଲାଗି ଦାବି ରଖିଥିଲା ରାଜ୍ୟ। ଏପରିକି ପ୍ରଥମ ପ୍ରକଳ୍ପ ପାଇଁ ରାଜ୍ୟ ୫୦ ଭାଗ ଓ ଦ୍ୱିତୀୟ ପ୍ରକଳ୍ପ ପାଇଁ ୨୫ ଭାଗ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖିଥିଲା। ସେହିପରି ଦୁଇ ରେଳ ପ୍ରକଳ୍ପ ପାଇଁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ମଧ୍ୟ ସହମତ ହୋଇଥିଲେ। ଏସବୁ ପ୍ରକଳ୍ପ କାମ ତ୍ୱରିତ କରିବା ପାଇଁ ପ୍ରଭୂଙ୍କ ନିକଟରେ ଦାବି ରଖିବେ ନବୀନ।

ତେବେ ମାଲକାନଗିରିରେ ମାରାତ୍ମକ ରୂପ ନେଇଥିବା ଜାପାନୀ ଏନସେଫାଲାଇଟିସ ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦେଖା କରିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ନବୀନ। କହିଛନ୍ତି ଆମେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସଂପର୍କରେ ଅଛୁ। ତେବେ ଚର୍ଚ୍ଚା ହେଉଛି ଏହି ଗସ୍ତ କାଳରେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ପାରନ୍ତି ନବୀନ। ଏଥିସହ ଜାତୀୟ ପ୍ରକଳ୍ପ ଓ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ଆବଶ୍ୟକତାଠାରୁ କମ୍ ଅର୍ଥ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ନିଜର ଆପତି ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ –