କୋଣାର୍କ ସୁରକ୍ଷା ପାଇଁ ବଢିଲା ଚିନ୍ତା ! ଆଜି ସୀମାକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ, ସାମିଲ ହେବେ କେନ୍ଦ୍ର ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ, ଅଧିକାରୀ ଓ ଏଏସଆଇ ମହାନିର୍ଦ୍ଦେଶକ

109

କନକ ବ୍ୟୁରୋ : ବିପଦରେ କୋଣାର୍କ  । ଭୁଷୁଡ଼ିଯିବ ଜଗମୋହନ  । ଭିତରେ ଚରିଗଲାଣି ଗୁଳ୍ମ ଚେର  । ବିଶେଷଜ୍ଞଙ୍କ ଏଭଳି ସତର୍କବାଣୀ ପରେ ଆଜି ରାଜ୍ୟ ଅତିଥି ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି  । ଦିନ ୧୨ଟା ବେଳେ ଡକାଯାଇଥିବା ଏହି ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ ଓ ଏଏସଆଇ ମହାନିର୍ଦ୍ଦେଶକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  ।

ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କାକଟପୁର ଓ ନିମାପଡ଼ା ବିଧାୟକ, ସଂସ୍କୃତି ସଚିବ ଓ ନିର୍ଦ୍ଦେଶକ, ଇନଟାକ୍ ପକ୍ଷରୁ ଅମୀୟ ଭୂଷଣ ତ୍ରିପାଠୀ, ବିଶେଷଜ୍ଞ ଗୋପାଳ ମିତ୍ର ଓ ପ୍ରଫେସର ସଂଜୟ ଆଚାର୍ଯ୍ୟ, କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାସ, କୋଣାର୍କ ଆଂଚଳିକ ବିକାଶ ପରିଷଦ ସଭାପତି ସୁବାସ ନାଏକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  । ତେବେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି  ।

ପୂର୍ବରୁ ଐତିହାସିକ କୋଣାର୍କ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର କଢାଯାଇ ସାଧା ପଥର ଲାଗିଥିବା ଅଭିଯୋଗ ହୋଇ ଆସୁଥିଲା । ଏପରିକି କୋଣାର୍କର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ମଧ୍ୟମ ଧରଣର ଭୂମିକମ୍ପ କୋଣାର୍କକୁ ଚୁରମାର୍ କରିବାକୁ ସମର୍ଥ ବୋଲି ରୁର୍କିର ବିଶେଷଜ୍ଞ ଟିମ୍ ଚେତାଇ ଦେଇଛନ୍ତି । ସ୍ଥିତି ଏପରି ହେଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତାର ଭୂମିକମ୍ପ ଆସିଲେ ଭୁଶୁଡି ଯାଇପାରେ ବ୍ଲାକ୍ ପାଗୋଡା । ବିଶେଷଜ୍ଞମାନଙ୍କ ଏଭଳି ଆଶଙ୍କା ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଧାନସଭା ମଧ୍ୟ ହୁଲୁସ୍ତୁଲ ହୋଇଥିଲା । ଏପରିକି କୋଣାର୍କ ସୁରକ୍ଷା ନେଇ କି ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ।