ମୟୂରଭଂଜ ମୋରଡାରେ ବହିଲାଣି ନିର୍ବାଚନୀ ହାୱା ! ନିର୍ବାଚନ ମଣ୍ଡଳିରେ ଆଶାୟୀଙ୍କ ଲମ୍ବା ଲାଇନ୍, ଆଶାୟୀ ବିଜେଡି ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ । 

159

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରେ ୯ଟି ବିଧାନସଭା ଓ ଲୋକସଭାରେ ବିଜେଡି ପ୍ରତିନିଧିତ୍ୱ କରୁଛି  । ଏହା ପରେ ବି ଗତ ପଂଚାୟତ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଥିଲା  । ତେଣୁ ଅଗାମୀ ନିର୍ବାଚନରେ ଦଳ ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତନ କରିବାକୁ ଚାହୁଁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଆଶାୟୀଙ୍କ ସୁଅ ଛୁଟୁଛି ।

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀ  । ଏଠାକାର ଭୋଟର ସଂଖ୍ୟା ୨୦୧୪ ନିର୍ବାଚନ ହିସାବରେ ୧ଲକ୍ଷ ୯୭ହଜାର ୮୦୭ । ଜିଲ୍ଲାର ମୋଟ ୯ଟି ନିର୍ବାଚନ ମଣ୍ଡଳୀରୁ ମୋରଡା ନିର୍ବାଚନ ମଣ୍ଡଳୀ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ  । ୨୦୧୪ ନିର୍ବାଚନରେ ଏଠାରେ ୨୫ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ ୨୦୧୯ରେ ଆଶାୟୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି । ଯାହାର ଝଲକ ଏବେଠୁ ଦେଖିବାକୁ ମିଳିଲାଣି । ପ୍ରତିଦିନ ଆଶାୟୀ ପ୍ରାର୍ଥୀମାନେ ସଭା ସମିତିର ଆୟୋଜନ କରି ନିଜ ସପକ୍ଷରେ ଜନମତ ଯୋଗାଡରେ ଲାଗିଛନ୍ତି ।

ମୋରଡାରେ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ । ରେସର ଆଗରେ ଦେବାଶିଷ । ମୋରଡା ବିଧାନସଭାରେ ଲଗାତର ଦୁଇ ଦୁଇ ଥର ବାଜିମାତ୍ କରିଛନ୍ତି ବିଜେଡିର ମହାରାଜ ପ୍ରବୀଣ ଚନ୍ଦ୍ର ଭଂଜଦେୟ । ତେବେ ଆଗାମୀ ନିର୍ବାଚନ ପାଇଁ ଏଠାରେ ବିଜେଡି ଦଳରୁ ସର୍ବାଧିକ ଆଶାୟୀ ରହିଛନ୍ତି । ସବୁଠାରୁ ଆଗରେ ଅଛନ୍ତି ଜିଲ୍ଲା କାର୍ଯ୍ୟକାରି ସଭାପତି ଦେବାଶିଷ ମହାନ୍ତି । ଦେବାଶିଷ ‘ହକ୍ ମାଗୁଛି ଓଡ଼ିଶା’ ସମାବେଶ କରି ୧୦ହଜାରରୁ ଅଧିକ ଲୋକଙ୍କ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

‘ହକ୍ ମାଗୁଛି ଓଡିଶା’ ସାମବେଶ ବିଜେଡିର ଦଳୀୟ ବ୍ୟାନରରେ ହୋଇଥିବା ବେଳେ ଏଠାରେ ସ୍ଥାନୀୟ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ କି କୌଣସି ଆଗ ଧାଡିର ନେତାଙ୍କୁ ଦେଖିବାକୁ ମିଳିନଥିଲା । କେବଳ ବ୍ଲକ୍ ପର୍ଯ୍ୟବେକ୍ଷକ ଗଣେଶ ମହାପାତ୍ର ଏବଂ ସମିତି ସଭ୍ୟ, ସରପଂଚ, ୱାର୍ଡ ମେମ୍ବର ଓ କିଛି ବିଜେଡି କର୍ମୀଙ୍କ ଉପସ୍ଥିତିରେ ଶେଷ ହୋଇଛି ସମାବେଶ । ମୋରଡ଼ା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଦୌଡରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ କାହା ମୁଣ୍ଡରେ ଦଳର ସୁପ୍ରିମୋ ସୁନା କଳସ ଢାଳୁଛନ୍ତି ତାହା ଆଗାମୀ ସମୟ ପକ୍କା କରିବ ।