ମାଲକନାଗିରି ଜିଲ୍ଲାରେ ଫେରିଛି ଲାଲ ଭୟ ! କାୟା ବିସ୍ତାର କରି ଚାଲିଛନ୍ତି ମାଓବାଦୀ

25

କନକ ବ୍ୟୁରୋ: ମାଲକନାଗିରି ଜିଲ୍ଲାରେ ଫେରିଛି ଲାଲ ଭୟ । କାୟା ବିସ୍ତାର କରି ଚାଲିଛନ୍ତି ମାଓବାଦୀ । ଦୁଇ ଦୁଇଟି ଠିକା କମ୍ପାନୀ  ଉପରେ ଆକ୍ରମଣ କରି ୧୨ଟି ଗାଡି ପୋଡିବା ସହ ଦୁଇଟି ଭିନ୍ନ୍ ଭିନ୍ନ ଘଟଣାରେ ଦୁଇ ଜଣକୁ ହତ୍ୟା କରିଛି ଲାଲବାହୀନି । ଜିଲ୍ଲାର ଦୁର୍ଗମ ଅଂଚଳରେ ଚାଲି ଥିବା ରାସ୍ତା ନିର୍ମାଣ ଓ ଉନ୍ନୟନ ମୁଳକ କାମ ଏବେ ଠପ ହୋଇଯାଇଛି । ଠିକାଦାରମାନେ ମାଓ ଆକ୍ରମଣରେ ଭୟଭିତ ହୋଇଯାଇଥିବା ବେଳେ ଏବେ ଜିଲ୍ଲାରେ ଥମି ଯାଇଛି ବିକାଶର ଗତି । ଠପ ପଡିଛି ନିର୍ମାଣ କାମ । ଆଉ ଗଡୁ ନି ରୋଡ ରୋଲର କି ଜେ.ସି.ବି ।

ଏ ଚିତ୍ର ହୋଉଛି ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ଚାଲି ଥିବା ରାସ୍ତା ନିର୍ମାଣ କାମର । ଗତ ସୋମବାର ଦିନ ବଣ୍ଡାଘାଟିରେ ଠିକା କ୍ୟାମ୍ପ ଉପରେ ଆକ୍ରମଣ କରି ଆଠଟି ଯାନବାହନ ଓ ପ୍ରୋକଲିନ-ଜେ.ସି.ବି ପୋଡି ଦେଇଥିଲେ ମାଓବାଦୀ । ପରେ ମଙ୍ଗଳବାର ଦିନ ମହୁପଦର ଜନ୍ଦ୍ରାଗୁଡାରେ ଜଣଙ୍କୁ ହତ୍ୟା କରିବା ସହ ବୁଧବାର ଦିନ  ନାକାମାମୁଡି-ପିପଲପଦର  ଠିକା କ୍ୟାମ୍ପରେ ଆକ୍ରମଣ କରିଥିଲା ଲାଲବାହିନୀ । ରାସ୍ତା ନିର୍ମାଣ କାମରେ ଲାଗି ଥିବା ୪ଟି ଗାଡି ପୋଡିବା ସହ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଲାଲବାହିନୀର ସିରିୟଲ ଆକ୍ରମଣ ପରେ ଜିଲ୍ଲାର ଠିକାଦାରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଦୁର୍ଗମ ଅଂଚଳର ରାସ୍ତା ନିର୍ମାଣ କାମରେ ଲାଗିଥିବା ଜେ,ସି.ବି, ପ୍ରୋକଲିନ, ଟ୍ରିପର ଗୁଡିକ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି ଠିକାଦାର । ଏଥିପାଇଁ ପରୋକ୍ଷରେ ବିଭାଗିୟ ଆଧିକାରୀଙ୍କ ନିର୍ଦ୍ଦେଶ ଥିବା ଜଣାପଡିଛି । ତେବେ ଏନେଇ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ନାରାଜ ଠାକଦାର ଓ କମ୍ପାନୀ କର୍ତ୍ତୃପକ୍ଷ ।

ଖାଲି ସେତିକି ନୁହେଁ ମାଲକାନଗିରିରେ ୧୫୦ରୁ ଅଧିକ ଗାଁରେ ପକ୍କା ରାସ୍ତା ଖଣ୍ଡେ ନାହିଁ । ଜିଲ୍ଲାରେ ମାଓ ସମସ୍ୟା ଟିକେ କମିଥିବା ବେଳେ ଗତ ଦୁଇ ବର୍ଷ ଧରି ଜିଲ୍ଲାରେ ରାସ୍ତା ନିର୍ମାଣ କାମ ଜୋର ଧରିଥିଲା । ଜିଲ୍ଲାର ଆର.ଡି ବିଭାଗର ଦୁଇଟି ଡିଭିଜନ ଜରିଆରେ ପ୍ରାୟ ୫ଶହ କିଲୋମିଟର ରାସ୍ତା ନିର୍ମାଣ କାମ ଜାରି ରହିଥିଲା । ହେଲେ  ଏବେ ମାଓବାଦୀଙ୍କ ଠିକା କ୍ୟାମ୍ପ ଉପରେ କ୍ରମାଗତ ଆକ୍ରମଣ ଓ ହତ୍ୟାକାଣ୍ଡ ଘଟଣା, ରାସ୍ତା ନିର୍ମାଣର ଗତି ଉପରେ ବ୍ରେକ ଲଗାଇଛି ।

ଗତ କିଛି ବର୍ଷ ଧରି ମାଓବାଦୀ ସଙ୍ଗଠନ ଦୁର୍ବଳ ହୋଇ ଆସୁ ଥିବା ବେଳେ ନାମ୍ବାଲା କେଶବ ରାଓ ଓରଫ ଗଗାନା ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ମୁଖ୍ୟ ଦୟୀତ୍ୱ ନେବା ପରେ ମାଓ ସଙ୍ଗଠନ ସେମାନଙ୍କ ରଣନୀତି ବଦଳାଇ ଆକ୍ରମଣାତ୍ମକ ନିତି ଆପଣାଇଛନ୍ତି । ଜାହାର ସିଧା ସଳଖ ପ୍ରଭାବ ପଡିଛି ମାଲକାନଗିରି ଜିଲ୍ଲାର ଉନ୍ନୟନ ପ୍ରକ୍ରିୟା ଉପରେ ।