ବିଚ୍ଛିନ୍ନାଚଂଳରେ ହେଲାନି ସ୍ୱାଧୀନତା ଦିବସ ପାଳନ ! ମାଓ ଭୟ ଯୋଗୁଁ ମାଲକାନଗିରିର ବିଭିନ୍ନ ସ୍ଥାନରେ ଉଡିପାରିଲାନି ତ୍ରିରଙ୍ଗା

37

କନକ ବ୍ୟୁରୋ : ସାରା ଦେଶରେ ୭୧ ତମ ସ୍ୱାଧୀନତା ଦିବସ ପାଳନ ହୋଇଥିବା ବେଳେ ମାଲକାନଗିରିର ବିଚ୍ଚିନ୍ନାଂଚଳରେ ଉଡିପାରିନି ତ୍ରିରଙ୍ଗା । ମାଓ ଭୟ ଯୋଗୁ ଅନେକ ସ୍ଥାନରେ ପତାକା ଉତ୍ତୋଳନ ହୋଇପାରିନି । ଚିତ୍ରୋକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁର, କୁରମାନୁର ସମେତ ବିଚ୍ଚିନ୍ନାଂଚଳର ଯନ୍ତ୍ରୀ ପଂଚାୟତରେ ସ୍ୱାଧୀନସତା ଦିବସ ପାଳନ ହୋଇନି । ବିଦ୍ୟାଳୟଠୁ ଆରମ୍ଭ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠୁ ଶୁନଶାନ ମାହୋଲ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ ମାଓବାଦୀ ମାନେ ପାପଲୁର ଓ କୁରମାନୁର ଅଂଚଳରେ ବୈଠକରେ ପତାକା ଉତ୍ତୋଳନ ନକରିବାକୁ ଧମକ ଦେଇଥିଲେ ।

ଅନ୍ୟପଟେ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳିଥିଲା ସ୍ୱାଧୀନତା ଦିବସର ଉତ୍ସବ ।କଟକରେ ୭୧ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ବାରବାଟୀ ଷ୍ଟାଡିୟମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଛନ୍ତି । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ପ୍ରଗତି ପଥେ ଆଗେଇଥିବା କହିଛନ୍ତି ସୂର୍ଯ ପାତ୍ର । ଏହି ଧାରାକୁ ବଜାୟ ରଖିବା ପାଇଁ ରାଜ୍ୟ ସମର୍ଥନର ଆବଶ୍ୟକତା ରହିଛି । ଗରିବଙ୍କ ପାଇଁ ସରକାର କାମ କରୁଛି, ଆଗକୁ ମଧ୍ୟ କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି । ଶିକ୍ଷା, ସ୍ୱାସ୍ଥ ଏବଂ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଥିବା କହିଛନ୍ତି ।

ସମ୍ବଲପୁରରେ ମଧ୍ୟ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କଚେରୀ ରୋଡରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଛନ୍ତି । ଏହାସହ ଜିଲ୍ଲାସ୍ତରୀୟ ପରେଡ ଅଭିବାଦନ ଗ୍ରହଣ ବେଳେ ରାଜ୍ୟ ସରକାରଙ୍କ ବିଭନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ଜନତାକୁ ଅବଗତ କରାଇଛନ୍ତି ।

ପୁରୀ ଶରଧାବାଲିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମନ୍ତ୍ରୀ ଦାମୋଦର ରାଉତ ଏହି ଅବସରରେ ଯୋଗ ଦେଇ ଅଭିଭାଷଣ ରଖିଛନ୍ତି । କହିଛନ୍ତି, ଭାରତ ବର୍ଷର ସମସ୍ତ ରାଜ୍ୟ ଏକ ହେଲେ ଏକ ସମ୍ପୃଦ୍ଧ ଭାରତ ଗଠନ ସଫଳ ହେବ । ଏଠି ବି ମନ୍ତ୍ରୀ ଦାମୋଦର ରାଉତ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଷ୍ଟାଡିୟମରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀଙ୍କ ମନେ ପକାଇବା ସହ ରାଜ୍ୟ ସରକାରଙ୍କ ଗୁଣଗାନ କରିଛନ୍ତି । କହିଛନ୍ତି ରାଜ୍ୟରେ ଶିକ୍ଷା, ଜଳ ସେଚନ ଓ ମହିଳା ବିକାଶ ପ୍ରତି ସରକାର ସଚେତନ ବୋଲି ପ୍ରଫୁଲ୍ଲ ସାମଲ କହିଛନ୍ତି ।

ବରଗଡରେ ମନ୍ତ୍ରୀ ନୃସିଂହ ସାହୁ ପତାକା ଉତ୍ତୋଳନ କରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଜଜ୍ ହାଇସ୍କୁଲ ପଡିଆରେ ଏହି ଦିବସକୁ ପାଳନ କରାଯାଉଥିବା ବେଳେ ଦେଶ ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ମନେ ପକାଇବା ସହ ସହିଦଙ୍କ ପ୍ରତି ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ପଦ୍ମଶୀ ହଳଧର ନାଗଙ୍କୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ନୃସିଂହ ସାହୁ । ସେପଟେ ରାଉରକେଲାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଜିଲ୍ଲାପାଳ ବିନତ୍ ଭରଦ୍ୱାଜ ପତାକା ଉତ୍ତୋଳନ କରିଛନ୍ତି ।