ଛାଡପତ୍ର ପୂର୍ବରୁ ଗୁଳି : ରହସ୍ୟରେ ଯୋଗାଣ ଅଧିକାରୀଙ୍କୁ ଗୁଳିମାଡ ଘଟଣା

28

ନୟାଗଡ : ସ୍ୱାମୀ ଗୁଳିରେ ସ୍ତ୍ରୀ ଗୁରୁତର, ଶଳା ମୃତ । ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ନିକଟରେ ଘଟିଥିବା ଏହି ଗୁଳିକାଣ୍ଡ ଘଟଣା ପଛରେ ଲୁଚି ରହିଛି ଅନେକ ରହସ୍ୟ । ଆହତ ମହିଳା ହେଉଛନ୍ତି ନୟାଗଡର ଯୋଗାଣ ଅଧିକାରୀ । ଯିଏ ଗତକାଲି ଓଏଏସ ପରୀକ୍ଷା ଦେଇ ଫେରୁଥିବା ବେଳେ ନିଜ ସ୍ୱାମୀଙ୍କ ଗୁଳିମାଡରେ ଆହତ ହୋଇଛନ୍ତି । ତେବେ ସ୍ତ୍ରୀକୁ ମାରି ଦେବାକୁ କାହିଁକି ଚିନ୍ତା କଲା ସ୍ୱାମୀ । ପ୍ରାଥମିକ ଭାବେ କିଛି ସ୍ପଷ୍ଟ ଓ ଅସ୍ପଷ୍ଟ ଉତ୍ତରକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସୂଚନା ଅନୁସାରେ, ଏକ ରାସ୍ତା ଦୁର୍ଘଟଣାରେ ରଚିତାଙ୍କ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ୨୦୧୧ ମସିହାରେ ଏସବୁ ଜାଣି ବି ରଚିତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ ଢେଙ୍କାନାଳର ସୁନୀଲ୍ । ଆରମ୍ଭ କରିଥିଲେ ଦାମ୍ପତ୍ୟ ଜୀବନ । ଦୁଇ ଦୁଇଟି ଝିଅର ମା’ ବି ହୋଇଥିଲେ ରଚିତା । ହେଲେ ସମୟ ସହ ସଂପର୍କରେ ଆସିଥିଲା ଝଡ । ନୟାଗଡର ଏହି ଯୋଗାଣ ଅଧିକାରୀ ସ୍ୱାମୀଙ୍କ ଠାରୁ ଛାଡପତ୍ର । ଦୁଇ ଝିଅଙ୍କୁ ନେଇ ଚାଲି ଯାଇଥିଲେ ବାପଘରକୁ । ମାମଲା ପହଂଚିଥିଲା କୋର୍ଟରେ । ହେଲେ ଛାଡପତ୍ର ପୂର୍ବରୁ ସ୍ୱାମୀ ସାଜିଲା ସଇତାନ୍ ।

ସେପଟେ ଫେରାର୍ ସୁନୀଲଙ୍କ ପରିବାର ଲୋକେ ଆଣିଛନ୍ତି ବୋହୂ ବିରୋଧରେ ସାଂଘାତିକ୍ ଅଭିଯୋଗ । କହିଛନ୍ତି ବୋହୂର ପରକୀୟା ପ୍ରୀତି ନେଇ ପୁଅ ଜାଣିପାରିଥିଲା । ତେଣୁ ଉଭୟଙ୍କ ଭିତରେ କଳି ଲାଗି ରହୁଥିଲା ।
ସେପଟେ ରଚିତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି । ତେବେ ଏ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ପରଦା ହଟିବ ସୁନୀଲର ଗିରଫଦାରୀ ପରେ ।