ପଡିଆରେ ହେବ ହାଇଭୋଲଟେଜ୍ ଆକ୍ସନ: ବ୍ରିସବେନରେ କୋହଲି-ଫିଂଚଙ୍କ ମଧ୍ୟରେ କଡା ଟକ୍କର

ଆଜି ଇଣ୍ଡିଆ- ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମୁକାବିଲା

1,262

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସମର ଆଜିଠାରୁ ଆରମ୍ଭ ହେବ। ଚଳିତ ଗସ୍ତର ପ୍ରଥମ ମ୍ୟାଚରେ ଆଜି ଭାରତ ବ୍ରିସ୍ବନର ଗାବା ଷ୍ଟାଡିୟମରେ ଅବତୀର୍ଣ୍ଣ ହେବ। କ୍ରିକେଟ୍ ଦୁନିଆର ଏହି ଦୁଇ ମହାଶକ୍ତି ଏଥର ଟ୍ବେଣ୍ଟି-୨୦ରୁ ଲଢ଼େଇ ଆରମ୍ଭ କରିବେ। ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଆଜି ପରସ୍ପରର ମୁହାଁମୁହିଁ ହେବେ। ଯାହାକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉତ୍ସାହିତ। ଭାରତୀୟ ଦଳ ଏଥର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ସେପଟେ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍ ୱାର୍ନର, ଷ୍ଟିଭେନ ସ୍ମିଥ୍, ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍, ପ୍ୟାଟ୍ କମିନ୍ସ ଓ ନାଥନ ଲିୟନଙ୍କ ଭଳି ଖେଳାଳି ନାହାନ୍ତି। ଅବଶ୍ୟ ସ୍ମିଥ୍ ଓ ୱର୍ନରଙ୍କ ବ୍ୟତୀତ ଅନ୍ୟମାନେ ଟେଷ୍ଟ ଶୃଙ୍ଖଳା ପାଇଁ ଫେରିବାର ସମ୍ଭାବନା ରହିଛି।

ଗତ ଗସ୍ତରେ ଅଷ୍ଟ୍ରେଲିଆକୁ ଭାରତ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୩-୦ରେ ପରାସ୍ତ କରିଥିଲା। ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଆଶାରେ ରହିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତ ପରାଜୟର ପ୍ରତିଶୋଧ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ହେଲେ ଅଷ୍ଟ୍ରେଲିଆ ତା’ ପୂର୍ବ ଶୃଙ୍ଖଳାରେ ପାକିସ୍ତାନଠାରୁ ୟୁଏଇରେ ୦-୩ରେ ହାରିଥିଲା, ଯାହା ଭାରତ ସପକ୍ଷରେ ଯାଇପାରେ। ଟ୍ବେଣ୍ଟି-୨୦ ସଫଳତା ଦୃଷ୍ଟିରୁ ବି ଅଷ୍ଟ୍ରେଲିଆଠାରୁ ଭାରତ ଆଗରେ ରହିଛି। ଉଭୟ ଦେଶ ମଧ୍ୟରେ ଏ ପର‌୍ୟ୍ୟନ୍ତ ୧୬ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୦ ଏବଂ ଅଷ୍ଟ୍ରେଲିଆ ୫ଟିରେ ବିଜୟୀ ହୋଇଛି। ଗୋଟିଏ ମୁକାବିଲା ବର୍ଷା ପାଇଁ ବାତିଲ ହୋଇ ଯାଇଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷବ ପନ୍ତ, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, କୁଲଦୀପ ଯାଦବ/ୟୁଜବେନ୍ଦ୍ର ଚହଲ, ଯଶ୍ପ୍ରୀତ ବୁମରା, ଖଲିଲ ଅହମ୍ମଦ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍କି ସଟ୍, କ୍ରିସ୍ ଲିନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍, ବେନ୍ ମ୍ୟାକଡର୍ମାଟ୍, ଆଲେକ୍ସ କାରେ, ନାଥନ କୁଲଟର ନାଇଲ, ଆଣ୍ଡ୍ର‌୍ୟୁ ଟାଇ, ଜାସନ ବେହେରନ୍ଡ୍ରଫ, ବିଲି ଷ୍ଟାନଲେକ।