ପିସି କାରବାରର ନଗ୍ନ ଚିତ୍ର : ଭିନ୍ନକ୍ଷମ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ମାଗିଲେ ହିନ୍ଦୋଳ ବ୍ଲକର ବିଡ଼ିଓ

59

କନକ ବ୍ୟୁରୋ : ହିନ୍ଦୋଳ ବ୍ଲକର ବିଡିଓଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କ ବିଜୁ ପକ୍କା ଘରର ବିଲ୍ କରିବା ପାଇଁ ବିଡିଓ ଲାଂଚ ମାଗୁଛନ୍ତି ୧୦ ହଜାର ଟଙ୍କା । କନକ ନ୍ୟୁଜ କ୍ୟାମେରା ଆଗରେ କାନ୍ଦି କାନ୍ଦି ବିଡିଓ ପିସି ମାଗୁଥିବା କଥା କହିଛନ୍ତି ସୁମନ୍ତ ଗୋଚ୍ଛାୟତ । ସରପଂଚଙ୍କ ସୁପାରିଶରେ ବିଜୁ ପକ୍କାଘର ପାଇଁ ତାଙ୍କୁ ମିଳିଥିଲା ୱାର୍କ ଅର୍ଡର । ହେଲେ ଘର କାମ ଆରମ୍ଭ ହେବା ଆଗରୁ ଗ୍ରାମରକ୍ଷୀ ନେଇଗଲେ ୫ ହଜାର ଟଙ୍କା । ଏବେ ବକେୟା ୭୦ ହଜାର ଟଙ୍କାର ବିଲ କରିଦେବା ପାଇଁ ବିଡିଓ ୧୦ ହଜାର ଟଙ୍କା ମାଗୁଥିବା ସୁମନ୍ତ କହିଛନ୍ତି ।

ହିନ୍ଦୋଳ ବ୍ଲକ ଅସରଡା ପଂଚାୟତର ବିର୍ଷିଙ୍ଗା ଗାଁର ସୁମନ୍ତ ଜନ୍ମରୁ ଭିନ୍ନକ୍ଷମ, ଠିକରେ ଚଲାବୁଲା କରିପାରନ୍ତି ନାହିଁ । ମୁଣ୍ଡଗୁଂଜିବାକୁ ଘରନଥିବା ବେଳେ ପରଘରେ ପତ୍ନୀ ପାଇଟି କରି ଯାହା ଆଣେ ସେଥିରେ ଚଳେ ସୁମନ୍ତଙ୍କ ପରିବାର । ଏବେ ସେମାନେ ହିନ୍ଦୋଳ ମେଡିକାଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ।

ସୁମନ୍ତ ଏବଂ ତାଙ୍କ ପତ୍ନୀ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ବକେୟା ଅର୍ଥ ପୈଠ ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି । ଏଥିସହ ଲାଂଚ ଅଭିଯୋଗର ତଦନ୍ତ କରାଯାଇ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ସୁମନ୍ତ ଗୋଚ୍ଛାୟତ ଅଭିଯୋଗ ଶୁଣିବା ପରେ ହିନ୍ଦୋଳ ବିଡିଓ କେ. ଅଶୋକ କୁମାରଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ସରକାରୀ କାମରେ ସେ ବାହାରକୁ ଯାଇଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।