କମିଲା ଗ୍ୟାସ ଦର ! ମାର୍ଚ୍ଚ ୧ରୁ ଲାଗୁ ହେଲା ନୂଆ ଦର, ଜାଣନ୍ତୁ ଏବେ ପ୍ରତି ସିଲିଣ୍ଡର ପିଛା କେତେ ଟଙ୍କା ଆପଣଙ୍କୁ ଦେବାକୁ ପଡିବ

113

ଗ୍ୟାସ ଉପଭୋକ୍ତାଙ୍କୁ ସରକାରଙ୍କ ହୋଲି ଉପହାର । ହୋଲି ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମାଇଛନ୍ତି କେନ୍ଦ୍ର ସରକାର । ଉଭୟ ସବସିଡି ଓ ଅଣ ସବସିଡି ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି ସରକାର । ନୂଆ ଦର ମାର୍ଚ୍ଚ ୧ ଅଥାର୍ତ ଆଜି ଠାରୁ ହିଁ ଲାଗୁ କରାଯିବ । ନଭେମ୍ବର ୨୦୧୭ ପରେ ପ୍ରଥମଥର ପାଇଁ ଗ୍ୟାସ ଦର କମାଇଛନ୍ତି ସରକାର । ଏହାଛଡା ବ୍ୟବସାୟିକ କାର୍ଯ୍ୟରେ ଲାଗୁଥିବା ଗ୍ୟାସ ସିଲିଣ୍ଡରର ଦର ମଧ୍ୟ ହ୍ରାସ ପାଇଛି । ସରକାରଙ୍କ ଏହି ନିଷ୍ପତି ଏବେ ହୋଲିକୁ ଆହୁରି ରଙ୍ଗୀନ କରିବାକୁ ଯାଉଛି ।

ଇଣ୍ଡିଆନ ଅଏଲ ୱେବସାଇଟ ମୁତାବିକ, ୧୪.୨ କିଲୋଗ୍ରାମର ବିନା ସବସିଡିରେ ମିଳୁଥିବା ଘରୋଇ ସିଲିଣ୍ଡରର ଦରରେ ୪୫.୫୦ ଟଙ୍କାରୁ ୪୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହାସହ ଦିଲ୍ଲୀରେ ବିନା ସବସିଡିରେ ମିଳୁଥିବା ଗ୍ୟାସ ଦର ୪୭ ଟଙ୍କା ହ୍ରାସ ପାଇବା ସହ ୬୮୯ ଟଙ୍କାରେ ପହଞ୍ଚିଛି । ସେହିଭଳି କୋଲକାତାରେ ଏହି ସିଲିଣ୍ଡରର ଦର ୪୫.୫୦ ପଇସା ହ୍ରାସ ପାଇବା ସହ ୭୧୧.୫୦ ଟଙ୍କାରେ ପହଞ୍ଚିଛି । ସେହିଭଳି ଅନ୍ୟ ଦୁଇଟି ମେଟ୍ରୋ ସହର ମୁମ୍ବାଇ ଓ ଚେନ୍ନାଇରେ ଦର ହ୍ରାସ ପାଇବା ସହ ଯଥାକ୍ରମେ ୬୬୧ ଓ ୬୯୯.୫୦ ଟଙ୍କାରେ ପହଞ୍ଚିଛି ।

ସବସିଡିରେ ମିଳୁଥିବା ଗ୍ୟାସ ସିଲିଣ୍ଡରର ଦର ମଧ୍ୟ ହ୍ରାସ ପାଇଛି । ନୂଆ ଘୋଷଣା ଅନୁଯାୟୀ, ୨.୫୦ ଟଙ୍କାରୁ ଅଧିକ ହ୍ରାସ ପାଇଛି ସବସିଡି ଗ୍ୟାସ ସିଲିଣ୍ଡର ଦର । ନୂଆ ଦର ମାର୍ଚ୍ଚ ୧ରୁ ଲାଗୁ କରାଯିବ । ଦିଲ୍ଲୀରେ ସବସିଡି ଗ୍ୟାସ ଦର ହ୍ରାସ ପାଇବା ପରେ ୪୯୩.୦୯ ଟଙ୍କାରେ ପହଞ୍ଚିଛି । କୋଲକାତାରେ ସବସିଡି ଗ୍ୟାସ ଦରରେ ୨.୫୩ ଟଙ୍କା ହ୍ରାସ ପାଇ ୪୯୬.୬୦ ଟଙ୍କାରେ ପହଞ୍ଚିଛି । ସେହିଭଳି ମୁମ୍ବାଇ ଓ ଚେନ୍ନାଇରେ ଦର ହ୍ରାସ ପାଇ ୪୯୦.୮୦ ଓ ୪୮୧.୨୧ ଟଙ୍କାରେ ପହଞ୍ଚିଛି ।

 ବ୍ୟବସାୟିକ କାର୍ଯ୍ୟରେ ବ୍ୟବହୃ୍ତ ହେଉଥିବା ରନ୍ଧନ ଗ୍ୟାସର ଦରରେ ମଧ୍ୟ ୭୭ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଦିଲ୍ଲୀରେ ଏହି ରନ୍ଧନ ଗ୍ୟାସର ଦର ହ୍ରାସ ପାଇ ୧୨୩୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୧୧୮୧ ଟଙ୍କାରେ ପହଞ୍ଚିଛି ।