ବିହାର କ୍ୟାବିନେଟରେ ନିଷ୍ପତି, ସଂପୂର୍ଣ୍ଣ ବନ୍ଦ ହେଲା ଦେଶୀ ଓ ବିଦେଶୀ ମଦ

65

ବିହାରରେ ସଂପୂର୍ଣ୍ଣ ବ୍ୟାନ୍ ହେଲା ମଦ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ରାଜ୍ୟ କ୍ୟାବିନେଟ ଦେଶୀ, ବିଦେଶୀ ମଦକୁ ରାଜ୍ୟରେ ସଂପୂର୍ଣ୍ଣ ନିଷେଧ ଘୋଷଣା କରିଛି । ଗତ ଶୁକ୍ରବାର ରାଜ୍ୟରେ ଆଂଶିକ ମଦ ବ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପୂର୍ବରୁ ରାଜ୍ୟ ସରକାର ବିହାର ଅବକାରୀ ଆଇନରେ ସଂଶୋଧନ କରିଛନ୍ତି । ତେଣୁ ଏଣିକି ମଦ ତିଆରି କଲେ, ବିକ୍ରି କିମ୍ବା ନେବା ଆଣିବା କଲେ ଓ ପିଇଲେ ବିହାର ଏକ୍ସାଇଜ ଆମେଣ୍ଡମେଂଟ ଆକ୍ଟ-୨୦୧୬ ଅନୁଯାୟୀ ଦଣ୍ଡିତ ହେବେ । ପୂର୍ବରୁ ରାଜ୍ୟର ସମସ୍ତ ବିଧାୟକ ମଦ ପିଇବେ ନାହିଁ ବୋଲି ଶପଥ ନେଇଥିଲେ । ଏହାପରେ ଗତକାଲି ରାଜ୍ୟର ସମସ୍ତ ପୋଲିସ ଅଧିକାରୀ  ଓ କର୍ମଚାରୀ ନିଜେ ମଦ ପଇବେ ନାହିଁ ବୋଲି ଶପଥ ନେଇଛନ୍ତି । ଏପରିକି ରାଜ୍ୟରେ ମଦକୁ କିପରି କଡାକଡି ଭାବରେ ବ୍ୟାନ୍ କରାଯିବ ସେନେଇ ପଦକ୍ଷେପ ନେବାକୁ ଶପଥପାଠ କରିଥିଲେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟକୁ ଡ୍ରାଏ ଷ୍ଟେଟ କରିବା ପାଇଁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ନୀତିଶ କୁମାର । ତେବେ ପଡୋସୀ ବିହାରରେ ମଦ ସଂପୂର୍ଣ୍ଣ ବ୍ୟାନ ହୋଇଥିବାବେଳେ ଏବେ ପ୍ରଶ୍ନ ଉଠୁଛି ଓଡିଶାରେ ମଧ୍ୟ ଏହାକୁ ବ୍ୟାନ କରାଯିବ କି ? କାରଣ ରାଜ୍ୟରେ ମଦମୃତୁ୍ୟ ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ଅଧିକାଂଶ ଅଂଚଳରେ ମଦ ପିଇ ଲୋକଙ୍କ ଆର୍ଥିକାବସ୍ଥା ଖରାପ ହେଉଥିବାରୁ  ବିଭିନ୍ନ ସମୟରେ ମଦ ବିରୋଧୀ ଆନେ୍ଦାଳନମାନ ସଂଗଠିତ ହେଉଛି , ହେଲେ ମଦରୁ ମିଳୁଥିବା ବିପୁଳ ରାଜସ୍ୱକୁ ଆଳ କରି ମଦ ଉପରେ କଟକଣାକୁ ଏଡାଇ ଆସୁଛନ୍ତି ରାଜ୍ୟ ସରକାର ।