ବଜାରକୁ ଆସିଲା ନୂଆ ୨ହଜାର ଟଙ୍କିଆର ଜାଲ ନୋଟ୍ : ଝାରସୁଗୁଡାରେ ଯୁବକ ଗିରଫ

59

କନକ ବ୍ୟୁରୋ : ବଜାରରେ ୨ହଜାର ଟଙ୍କିଆ ଜାଲ୍ ନୋଟ୍ । ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ ବ୍ୟାନ ହେବା ପରେ ବହୁ କଷ୍ଟରେ ଧାଡିରେ ଘଂଟାଘଂଟା ଛିଡାହୋଇ ମିଳୁଛି ନୂଆ ନୋଟ । ନୂଆ ୨ ହଜାର ଟଙ୍କିଆ ନୋଟ୍ ଆସିବାର ଦିନ କେଇଟା ହୋଇନି ବଜାରରେ ବୁଲିଲାଣି ଅସଲ ନୋଟର ଅବିକଳ ନକଲ । ଝାରସୁଗୁଡା ବେହେରାମାଲରୁ ଜବତ ହୋଇଛି ଏହି ନକଲି ନୋଟ୍ । ମଧୁ ମେହେର ନାମକ ଏହି ଯୁବକ ଜାଲ ୨୦୦୦ ଟଙ୍କିଆ ନୋଟ ଦେଇ ପେଟ୍ରୋଲ କିଣୁଥିବାବେଳେ ଧରାପଡିଛନ୍ତି ।

ସେପଟେ ବଲାଙ୍ଗିରରୁ ମିଳିଛି ବିପୁଳ ପରିମାଣର ଟଙ୍କା । ଏହା ଭିତରେ ରହିଛି ୨୪୦ ଖଣ୍ଡ ନୂଆ ୨୦୦୦ ଟଙ୍କିଆ ନୋଟ । ଜାଲନୋଟ କାରବାର ନେଇ ପୋଲିସକୁ ଖବର ମିଳିବା ପରେ ସଇଁତଳା ଥାନା ପୋଲିସ ଟେଙ୍ଗରା ଗାଁରେ ଚଢାଉ କରିଥିଲା । ଆଉ ଜଣେ ଦାଦନ ଶ୍ରମିକ ସର୍ଦ୍ଦାର କ୍ଷୀରସାଗର ବାଗଙ୍କ ଘରୁ ମିଳିଥିଲା ୧୨ ଲକ୍ଷ ୭୫ହଜାର ଟଙ୍କାର ନୂଆ, ପୁରୁଣା ନୋଟ୍ ।

ଆଶ୍ଚର୍ଯ୍ୟର କଥା ହେଉଛି ନଭେମ୍ବର ୮ ତାରିଖରେ ବଡ ନୋଟ ବ୍ୟାନହେବା ପରେ, ନୂଆ ନୋଟ ଉଠାଣରେ ଅନେକ କଟକଣା ଲଗାଯାଇଛି । ତଥାପି ୪ ଲକ୍ଷ ୮୦ ହଜାର ଟଙ୍କାର ନୂଆ ୨୦୦୦ ଟଙ୍କିଆ ନୋଟ କିପରି ଆସିଲା ସେନେଇ ଖୋଳତାଡ କରୁଛି ପୋଲିସ ।

ନୂଆନୋଟ ବଜାରକୁ ଆସୁଆସୁ ଓଡିଶାରେ ଏହାର ନକଲ ଆରମ୍ଭ ହୋଇଗଲାଣି । ତେଣୁ କେନ୍ଦ୍ରରେ ମୋଦି ସରକାର ଦେଶରେ କଳାଟଙ୍କା ଉପରେ ଅଂକୁଶ ଲଗାଇବାକୁ ଏପରିକି ଜାଲ ନୋଟ କାରବାରକୁ ସଂପୂର୍ଣ୍ଣ ରୋକିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସମ୍ଭବ ହେବ ତ?